ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଗତ ୨୪ ତାରିଖ ରେ କନିଷ୍ଠଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାରେ ଆଉ ଦୁଇ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଦୁଇଜଣଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଗୋଲକ ନାୟକଙ୍କ ସମେତ ତାଙ୍କ ସହଯୋଗୀ ଥବିର ହରିଜନ ଥିବା ଏବଂ ଉଭୟଙ୍କଠାରୁ ୨ ଦେଶୀ ପିସ୍ତଲ ସହ ତିନୋଟି ସ୍ମାର୍ଟ ଫୋନ ପୋଲିସ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା । ଜବତ ଦୁଇ ଦେଶୀ ପିସ୍ତଲର ଚେର ବିହାର ପର୍ଯ୍ୟନ୍ତ ଲମ୍ବିଥିବା କହିବା ସହ ଏହି ବନ୍ଧୁକ ରାକେଟ ସହ ଜଡିତ ସମସ୍ତଙ୍କୁ ଗିରଫ କରାଯିବ ଏନେଇ ତଦନ୍ତ ଜାରିରହିଛି ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସୂଚନାଯୋଗ୍ୟ ତେନ୍ତୁଳିଖୁଣ୍ଟି ବ୍ଲକରେ ଉନ୍ନୟନ କାର୍ଯ୍ୟ ବିଲକୁ କେନ୍ଦ୍ରକରି କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆକ୍ରମଣ ହେବାର ପାଞ୍ଚ ଦିନ ପରେ ଆକ୍ରମଣରେ ସମ୍ପୃକ୍ତ ପାଞ୍ଚ ଜଣ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା ।
ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ନୂତନ ଭାବରେ ଯୋଗ ଦେଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତେନ୍ତୁଳିଖୁଣ୍ଟି ପୋଲିସ ଏବଂ ପାପଡାହାଣ୍ଡି ଏସ ଡିପିଓଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରି ବିଭନ୍ନ ସ୍ଥାନରେ ଚଢାଉ ଜାରି ରହିଥିଲା । ଶେଷରେ ପୋଲିସ ତେନ୍ତୁଳିଖୁଣ୍ଟିଠାରୁ ପ୍ରାୟ ୩୦୦ କିଲୋମିଟର ଦୂର ବୋଇଲା ଡିଲା ଗ୍ରାମରୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା । ଘଟଣାକୁ ଗୁରୁତର ସହ ନେଇ ପୋଲିସ ତତ୍ପରତା ପ୍ରକାଶ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ଆଇନ ଆଖିରୁ କେହି ଖସି ଯାଇ ପାରିବେ ନାହିଁ ଓ ଆଇନ ସମସ୍ତଙ୍କ ପାଇଁ ସମାନ ତାହା ପ୍ରମାଣ କରି ଦେଖେଇଛି ନବରଙ୍ଗପୁର୍ ଜିଲ୍ଲା ପୋଲିସ । ଏହିଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ସମସ୍ତଙ୍କୁ ପୋଲିସ ଚେତାବନୀ ଦେବା ସହ ଏହିଭଳି କାର୍ଯ୍ୟକଳାପରୁ ଦୂରେଇ ରହିବା ପାଇଁ କହିଛନ୍ତି ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ଆକ୍ରମଣ ଘଟଣାରେ ପ୍ରାୟ ସମସ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି, ଅନ୍ୟ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ମଧ୍ୟ ଅତିଶୀଘ୍ର ଗିରଫ କାରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।