ଦଶପଲ୍ଲା :ନୟାଗଡ଼ ପୌର ପରିଷଦ ପକ୍ଷରୁ ବୁଧବାର ଜାଗା ସମ୍ପର୍କ ଉତ୍ସବ ଓ ସଶକ୍ତି କରଣ ସଚେତନତା ଶିବିର ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ପ୍ରକୃତ ସମ୍ମାନ ଦେଇଛି ବୋଲି କହିଛନ୍ତି । ସାରା ଭାରତ ବର୍ଷରେ ବସ୍ତିବାସିନ୍ଦାଙ୍କ ପାଇଁ ଏଭଳି ପଦକ୍ଷେପ କେଉଁଠି ଗ୍ରହଣ କରାଯାଇ ନ ଥିବାବେଳେ କେବଳ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି । ବସ୍ତିବାସିନ୍ଦାମାନେ ସହରର ପ୍ରକୃତ ନିର୍ମାଣକାରୀ ବୋଲି ବିଧାୟକ ତାଙ୍କ ବକ୍ତବ୍ୟରେ କହିବା ସହ ପୌର ପରିଷଦ ପକ୍ଷରୁ ବସ୍ତିବାସିନ୍ଦାଙ୍କ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ପୌର ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସହରର ୪ ଶହରୁ ଊର୍ଦ୍ଧ୍ୱ ବସ୍ତିବାସିନ୍ଦା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।