ଦୁଇ ବର୍ଷର ଶିଶୁ ନାଳ ପାଣିରେ ବୁଡି ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମାଝୀପଡା ଗାଁ ନିକଟରେ ଥିବା ସୁରକା ପଟାଙ୍ଗୀ ନାଳରେ ବୁଡ଼ିଯାଇ ଜଣେ ଦୁଇ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ମଝିପଡ଼ା ଗାଁର ବିକାଶ କହଁରଙ୍କ ଏକମାତ୍ର ପୁଅ ଆୟୁଷ କହଁର ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ଶିଶୁ ଜଣକ ତା ମା ସହିତ ନାଳକୁ ଗାଧୋଇବା ପାଇଁ ଯାଇଥିଲା । ପୁଅକୁ ଛାଡି ମା ଶୌଚ ହେବା ପାଇଁ ଗଲା ବେଳେ ଶିଶୁଟି ନାଳ ପାଣିରେ ବୁଡି ଯାଇଥିଲା । ଖବର ପାଇ ସ୍ଥାନୀୟ ଲୋକେ ଶିଶୁକୁ ପାଣିରୁ ଉଦ୍ଧାର କରି ଫିରିଙ୍ଗିଆ ମେଡିକାଲକୁ ଆଣିଥିଲେ । ହେଲେ ମେଡିକାଲରେ ପହଞ୍ଚିଲା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପରେ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓଙ୍କ ନିର୍ଦ୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏଏସଆଇ ପ୍ରମୋଦ କୁମାର ପ୍ରଧାନ ମେଡିକାଲରେ ପହଞ୍ଚି ଶବର ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି । ଏ ନେଇ ଫିରିଙ୍ଗିଆ ଥାନାରେ ୦୫/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Comments (0)
Add Comment