ଜାତି ଭାଇଙ୍କ ଆଗରେ ହାରିଗଲା ମମତା : ଘା’ ଭଲ ନହେବାରୁ ଜୀବନ୍ତ ମା’କୁ ଶ୍ମଶାନରେ ଛାଡ଼ିଦେଲେ ଦୁଇ ନୃଶଂସ ପୁଅ

ସୁବର୍ଣ୍ଣପୁର : ବନ୍ୟା ସମୟରେ ରୋଗୀଣା ବୃଦ୍ଧାଙ୍କୁ ନଈ କୂଳ ଶ୍ମଶାନରେ ଠାରେ ଛାଡ଼ିଦେଲେ ନିଜ ପେଟରୁ ଜନ୍ମିତ ଦୁଇ ନୃଶଂସ କୁଳାଙ୍ଗାର ପୁଅ । କିଟି କିଟି ଅନ୍ଧାର ରାତି ଭିତରେ ମହାନଦୀ କୂଳରେ ଭୟଙ୍କର ଦୃଶ୍ୟ ସତ୍ତେ୍ୱ୍ୱ ଶ୍ମଶାନରେ ଛୋଟ ତାରପୋଲିନ କୁଡିଆଟେ କରି ଛାଡିଦେଇ ଆସିଲେ । ମୋତେ ଭାରି ଡ଼ରଲାଗୁଛିରେ ପୁଅ ଏଠି ମୋତେ ଏମିତି ଅବସ୍ଥାରେ ଛାଡ଼ି ଦିଅନି ବୋଲି ଯେତେ ଆତୁରରେ ମାଁ କହିଲେ ବି ଚୁପଚାପ ଚାଲିଗଲେ ଦୁଇପୁଅ, ଆଉ କୁଡିଆ ଭିତରେ ଏକା ପଡିରହିଲେ ନାରାଶ୍ରୟ ବୃଦ୍ଧା ଜଣକ । ବନ୍ୟା ଭୟ ଭିତରେ ଶ୍ମଶାନରେ ପଡି ରହିଥିଲେ ଅସହାୟ ବୃଦ୍ଧା ଜଣକ । ତାଙ୍କ ଦୁଃଖ ଶୁଣିଲେ କାହା ଆଖିକୁ ବି ଆପେ ଆପେ ଲୁହ ଆସିଯିବ ।
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ଗାଁର ସ୍ୱର୍ଗତ ରାମ ସାହୁଙ୍କ ଦି୍ୱତୀୟ ପତ୍ନୀ ଚଞ୍ଚଳା ସାହୁ । କୌଣସି କାରଣରୁ ଚଞ୍ଚଳାଙ୍କ ଗୋଡରେ ଏକ ଘା’ ହେଇଯିବା ସହ କ୍ୟାନସର ମଧ୍ୟ ହୋଇଯାଇଛି । ପରିବାର ଲୋକ ସୋନପୁର ସମେତ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇଲେ । କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଆଉ ଅଧିକ ଚିକିତ୍ସା କରାଇପାରିଲେ ନାହିଁ । ଏହାରି ଭିତରେ ଚଞ୍ଚଳାଙ୍କ ଗୋଡର ଘା’ର ଅବସ୍ଥା ଅଧିକ ଗୁରୁତର ହୋଇପଡିଲା । ଏଣୁ ଏବେ ଘଟଣାଟି ପ୍ରଘଟ ହେବାପରେ ଅଡି ବସିଲେ ଜାତି ଓ ସମାଜର ଲୋକ । ଚଞ୍ଚଳାଙ୍କୁ ତୁରନ୍ତ ଘରୁ ବାହାର କର ନଚେତ ଜାତି ଓ ସମାଜରୁ ପୁରା ପରିବାରକୁ ବାସନ୍ଦ କରିଦିଆଯିବ ବୋଲି ଧମକ ଦେଇଥିଲେ ତାଙ୍କର ଜାତି ସମାଜ । ଜାତିର ଏଭଳି ଧମକ ପରେ ବାଧ୍ୟହୋଇ ଗତକାଲି ଅପାହ୍ନରେ ମହଦା ଗାଁଠୁ ୨ କିଲୋମିଟରରେ ମହାନଦୀ କୂଳରେ ଥିବା ଶ୍ମଶାନରେ ତାରପୋଲିନ କୁଡିଆଟିଏ କରି ବୃଦ୍ଧା ମାଁକୁ ଛାଡି ଦେଇଛନ୍ତି ଦୁଇପୁଅ । ଯେଉଁ ସମୟରେ ବନ୍ୟା ପାଣିରେ ଉଛୁଳୁଛି ମହାନଦୀ, ସାପ, କୁମ୍ଭୀର ଓ ବିଷାକ୍ତ ଜୀବଜନ୍ତୁଙ୍କ ଭୟ ରହିଛି, ସେହି ସମୟରେ ଜଣେ ରୋଗିଣା ବୃଦ୍ଧାଙ୍କୁ ନଈ କୂଳ ନିକଟ ଶ୍ମଶାନରେ ଛାଡିଦେବା କେତେଦୂର ଠିକ୍‌ ବର୍ତ୍ତମାନର ସଭ୍ୟସମାଜ ବିଚାର କରିବା ଉଚିତ୍‌ । ବୃଦ୍ଧା ଏବେ ଅସହାୟ ଅବସ୍ଥାରେ ମହାନଦୀ କୂଳରେ ଥିବା ଶ୍ମଶାନ ପାଖରେ ପଡି ରହିଥିଲେ ସିନା ନା ତାଙ୍କ ପାଖରେ ଖାଇବା ପାଇଁ କିଛି ଖାଦ୍ୟ ଥିଲା ନା ପିଇବା ପାଇଁ ବୁନ୍ଦାଏ ପାଣି ସେ ସମ୍ପୂର୍ଣ୍ଣ ଏକାଏକା ପଡିରହିଥିଲେ ଭଗବାନ ଙ୍କୁ ଆଶ୍ରାକରି ହେଲେ ପରେ ତାଙ୍କ ଗାଁର ୱାର୍ଡ ମେମ୍ବରଙ୍କ ସହାୟତାରେ ଏବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅଛନ୍ତି । ଏବେ ସାରା ଦେଶ କୃଷ୍ଣ ବଳରାମଙ୍କ ଜନ୍ମଉତ୍ସବ ପାଳନରେ ମସଗୁଲ ଥିବାବେଳେ ବିଚାରୀ ଚଞ୍ଚଳାର ନିଜର ଜନ୍ମ କଲା ପୁଅଦୁହେଁ ଏଡୋ ନିର୍ଦ୍ଦୟ ହୋଇ ନିଜ ଜନ୍ମିତ ମାଁ କୁ ବଞ୍ଚିଥିବା ଅବସ୍ଥାରେ ଶ୍ମଶାନରେ ଯେ ଛାଡି ଦେଇପାରନ୍ତି ଏହା ବର୍ତ୍ତମାନର ସାମାଜିକ ମୂଲ୍ୟବୋଧ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments (0)
Add Comment