ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଦୁର୍ବଳ । ସ୍ଥିତି ଅନୁଧ୍ୟାନ କରି ସତ୍ୟପାଠ ଜରିଆରେ ରିପୋର୍ଟ ଦାଖଲ କରିବାକୁ ଆମିଅସକ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ । ଏହାର ପରବର୍ତ୍ତୀ ଶୁଣାଣି ରଖାଯାଇଛି ଆସନ୍ତା ଅକ୍ଟୋବର ୧୦ ତାରିଖକୁ । ସେପଟେ ଆସନ୍ତା ଅକ୍ଟୋବର ୧୦ ତାରିଖ ମଧ୍ୟରେ ବାସ୍ତବରେ ଆମିଅସକ୍ୟୁରୀ ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେଇପାରିବେ ତ ? ଯାହାକୁ ନେଇ କୋଟିକୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମନରେ ଆଶଙ୍କା ଓ ସନ୍ଦେହ ଦେଖାଦେଇଛି । ଅନ୍ୟପଟେ ଭିତର ରତ୍ନଭଣ୍ଡାରର ଚାବି ଘଟଣାକୁ ନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ କିଭଳି ଭିତର ରତ୍ନଭଣ୍ଡାର ଖୋଲାଯିବ ଏବଂ କିଭଳି ସ୍ଥିତି ଅନୁଧ୍ୟାନ ହେବ ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସରକାର ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଅନୁମତି ଦେବେ ତ ? ସେପଟେ ହାଇକୋର୍ଟଙ୍କ ଆଦେଶକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ଭକ୍ତ, ସେବାୟତ ମହଲରେ ଦାବି ହୋଇଥିବା ବେଳେ ଆସନ୍ତା ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ଉଠିବ ବୋଲି କମିଟିର ବରିଷ୍ଠ ସଦସ୍ୟ ଦୁର୍ଗାଦାସ୍ ମହାପାତ୍ର କହିଛନ୍ତି ।
ଖୋଲାହୋଇ ଯାଞ୍ଚ ହେବତ ଭିତର ରତ୍ନଭଣ୍ଡାର! ଆମିଅସକ୍ୟୁରୀଙ୍କୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବ ତ ପ୍ରଶାସନ, ନା ପୂର୍ବଥର ଭଳି ଏଏସଆଇ ସହ ପ୍ରଶାସନ ଯେଉଁଭଳି ନାଟକବାଜୀ କରିଥିଲା ଚଳିତଥର ଆମିଅସକ୍ୟୁରୀଙ୍କ ସହ ସେହିଭଳି ନାଟକବାଜୀ କରିବନି ତ ! ଗତକାଲି ମାନ୍ୟବର ଉଚ୍ଚନ୍ୟାୟାଳୟ ଆମିଅସକ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ । କିନ୍ତୁ ବାସ୍ତବରେ ଭିତର ରତ୍ନଭଣ୍ଡାର ଖୋଲାଗଲେ ହିଁ ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରି ପ୍ରକୃତ ରିପୋର୍ଟ ଦାଖଲ କରିହେବ । ଯଦି ସରକାର ଭିତର ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ନଦିଅନ୍ତି କିମ୍ବା ସରକାର ଅନୁମତି ଦେବାପରେ ପ୍ରଶାସନିକ ଅଧିକାରୀ ମାନେ ନାଟକବାଜୀ କରନ୍ତି, ଭିତର ରତ୍ନଭଣ୍ଡାର ଚାବି ନଖୋଲନ୍ତି ତେବେ ଭିତର ରତ୍ନଭଣ୍ଡାରର ବାସ୍ତବ ସ୍ଥିତି ଲୋକଲୋଚନକୁ ଆସିପାରିବ ନାହିଁ ଏବଂ ବାସ୍ତବ ସତ୍ୟ ରିପୋର୍ଟ ଉଚ୍ଚ ନ୍ୟାୟାଳୟରେ ଦାଖଲ ହୋଇପାରିବ ନାହିଁ । ସରକାର ଯଦି ସ୍ୱଚ୍ଛ ନିର୍ମଳ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଅନୁମତି ଦେବାସହ ଆମିଅସକ୍ୟୁରୀଙ୍କୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବା ପାଇଁ ସାଧାରଣରେ ଦାବି ହୋଇଛି ।