ଦାରିଙ୍ଗବାଡିରେ ଭୀମଭୋଇ ସାମର୍ଥ୍ୟ ଶିବିର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ଶିବିରରେ ମୋଟ ବିଭିନ୍ନ ୮୬୪ ଜଣ ଶାରୀରିକ ଭିନ୍ନକ୍ଷମ ସାମିଲ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୪୪୦ ଜଣ ଚଳଣ ଶକ୍ତି ବାଧିତ , ୧୨୨ଜଣ ଶ୍ରବଣ ବାଧିତ, ୧୩୭ ଜଣ ଦୃଷ୍ଟିହୀନ ଏବଂ ୧୬୫ ଜଣ ମାନସିକ ଅନଗ୍ରସର ବ୍ୟକ୍ତି ଡାକ୍ତରଙ୍କ ପାଖରେ ସ୍ୱାସ୍ଥ୍ୟ ପରୀକ୍ଷା କରି ସାର୍ଟିଫିକେଟ ପାଇବା ପାଇଁ ଆବେଦନ କରିଥିଲେ । ଆବେଦନ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ସେମାନଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ଗୁଡ଼ିକ ୧ମାସ ମଧ୍ୟରେ ମିଳିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷିତିଶ ପ୍ରିୟଦର୍ଶୀ ସାହୁ ସୂଚନା ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅସ୍ଥିଶଲ୍ୟ ବିଭାଗ ଡାକ୍ତର ଅନୁପ ଅନିମେଶ ପଣ୍ଡା, ମେଡିସିନ ବିଭାଗ ବିଶେଷଜ୍ଞ ଉତ୍କଳ କେଶରୀ ବେହେରା, ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦେବଜିତ ଦାସ,ଶ୍ରବଣ ଶକ୍ତିବାଧିତ ଡାକ୍ତର ଜଳନ୍ଧର ଭେଟି, ପେଡିଆଟ୍ରିକ୍ସ ବିଭାଗ ଡାକ୍ତର ଦୋଳମଣି ପ୍ରଧାନ ଏବଂ ଜିଲ୍ଲା ଭିନ୍ନକ୍ଷମ ଥଇଥାନ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମଙ୍କୁ ପଞ୍ଜିକରଣ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଦାରିଙ୍ଗବାଡ଼ି ବ୍ଲକର୨୫ଟି ପଞ୍ଚାୟତରୁ ସମସ୍ତ ପଞ୍ଚାୟତର ଲୋକେ ଏହି ଶିବିରରେ ସାମିଲ ହେବା ପାଇଁ ସକାଳୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଭିଡ଼ ଜମାଇଥିଲେ । ୮୬୪ଜଣ ଦିବ୍ୟାଙ୍ଗ ସେମାନଙ୍କ ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ସାଥିରେ ଆସିଥିବା ସହଯୋଗୀଙ୍କ ମିଶାଇ ପାଖାପାଖି ୧୫ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଭିଡ଼ ନିୟନ୍ତ୍ରଣ କରିବାକୁ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରି ସୁବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା । ଶିବିରରେ ୨୫ଜଣଙ୍କୁ ଦୁଇ ଚକିଆ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ୫ଜଣଙ୍କୁ ତିନିଚକିଆ ସାଇକେଲ ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବଡସେଠଙ୍କ ସମେତ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ, ରଶ୍ମିତା ସେନାପତି ଓ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସହିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟମାନେ ଉପସ୍ଥିତ ରହିଥିଲେ ।

Comments (0)
Add Comment