ଶୀତଲେଇ ମନ୍ଦିରରେ ଶୀତଳା ପୂଜା ଆରାଧନା ଅନୁଷ୍ଠିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର କୁଷ୍ଠାପଡାର ଶୀତଲେଇ ମନ୍ଦିରରେ ଶୀତଳା ପୂଜା ଆରାଧନା ଅନୁଷ୍ଠିତ ହୋଇଯାଇଛି । କୁଷ୍ଠା ସମାଜର ଶ୍ରଦ୍ଧାଳୁ ମାନେ ମହାନଦୀରୁ ପବିତ୍ର ଜଳ ସଂଗ୍ରହ କରି ଶୀତଳା ମାଁଙ୍କ ଠାରେ ଅର୍ପଣ କରିଛନ୍ତି । ଏହି ପୂଜାରେ ବୃକ୍ଷ ଆରାଧନା ଓ ଜଳ ଆରାଧନାର ପରଂପରା ରହିଛି । ପ୍ରତିବର୍ଷ ଉଭୟ ଆଶ୍ୱିନ ଓ ଫାଲଗୁନ ମାସରେ ଦେବୀଙ୍କ ପାଖରେ ଶୀତଳା ପୂଜା ଲାଗି କରାଯାଇଥାଏ । ତେବେ ରାଜା ବୀରମିତ୍ରଦୋୟ ସିଂହ ଦେବଙ୍କ ଶାସନ କାଳ ପ୍ରାୟ ୧୦୦ ବର୍ଷ ପୂର୍ବରୁ ଏହି ପୂଜାର ଅୟମାରମ୍ଭ ଘଟିଥିଲା । ଏହି ପୂଜାରେ ପ୍ରଚଣ୍ଡ ରୌଦ୍ର ତାପରୁ ସମସ୍ତ ଜୀବଜଗତକୁ ଉଦ୍ଧାର କରିବା ସହିତ ସୁରକ୍ଷା ଦେବାକୁ ମାଙ୍କଠାରେ ଶ୍ରଦ୍ଧାଳୁମାନେ ଆରାଧନା କରିଥାନ୍ତି । ପ୍ରକୃତିର କୋପକୁ ଶାନ୍ତ କରିବା ସହିତ ସୂର୍ଯ୍ୟ ଦେବଙ୍କୁ ଶାନ୍ତ କରିବା ପାଇଁ ଏହି ପୂଜାର ଆୟୋଜନ କରାଯାଇ ଆସୁଛି । ତେବେ ଅଂଶୁଘାତର ମୁକାବିଲା କରିବା ସହିତ ପ୍ରତିଟି ଜୀବକୁ ରକ୍ଷା କରିବା ପାଇଁ ମାଙ୍କ ଠାରେ ମହାନଦୀର ପବିତ୍ର ଜଳ ଲାଗି କରିବାର ପରଂପରା ଆଜି ବି ଅତୁଟ ରହିଛି । ଏହି କାର୍ଯ୍ୟକ୍ରମରେ କୁଷ୍ଠା ପଡ଼ାର ଯୁଧିଷ୍ଟିର ମେହେର, ଶେଷଦେବ ମେହେର, ଗୋପାଳ ମେହେର, ଭୁବନ ମେହେର, ଶରତ ମେହେର, ଲଳିତ ମେହେର, ନାରାୟଣ ମେହେର ନବୀନ ମେହେର ଓ ଜିଲ୍ଲାର ଶତାଧିକ ଲୋକ ଓ ମହିଳା ଭାଗ ନେଇଥିବା ଜଣାପଡିଛି ।

Comments (0)
Add Comment