ଅପରେସନ ଗଜରାଜ ସଫଳ

ପୁରୀ : ବିଫଳ ବନବିଭାଗର ସଫଳ ପ୍ରୟାସ୍‌ । ଦୀର୍ଘ ୩୦ଘଣ୍ଟାରୁ ଉର୍ଦ୍ଧ୍ୱ ଚେଷ୍ଟା ପରେ ଶେଷରେ ସଫଳ ହେଲା ଅପରେସନ୍‌ ଗଜରାଜ । ପୁରୀ – କୋଣାର୍କ ବେଳାଭୂମି ରାସ୍ତାର ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତାକୁ ଟ୍ରାଙ୍କୁଲାଇଜ୍‌ ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନନ୍ଦନକାନନ ନିଆଯାଇଛି । ଅପରେଶନ୍‌ ଗଜରାଜରେ ପୁରୀ ଓ ଖୋର୍ଦ୍ଧା ବନଖଣ୍ଡ ବିଭାଗର ୭ ଟି ଟିମ୍‌ ସହ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ୍‌ ଟିମ୍‌ ଏହି କାର୍ଯ୍ୟରେ ଲାଗିଥିଲେ ।
ପୁରୀ ବାଲୁଖଣ୍ଡ ଅଭୟାରଣ୍ୟର ୧୧ ନମ୍ବର ସେକ୍ଟରରେ ହାତୀ ଥିବାବେଳେ ଟ୍ରାଙ୍କୁଲାଇଜ୍‌ ପାଇଁ ଟିମ୍‌ ପ୍ରସ୍ତୁତ ହୋଇଥିଲା । ୯ ନମ୍ବର ସେକ୍ଟରକୁ ହାତୀ ଚାଲି ଆସିବା ପରେ ବନ ବିଭାଗର ଟିମ୍‌ ଟ୍ରାଙ୍କୁଲାଇଜ୍‌ କରିଥିଲା । ଦୀର୍ଘ ସମୟ ଧରି ହାତୀ ଘାଇଲା ଅବସ୍ଥାରେ ରହିଥିଲା । ପୁରୀର ୫ଟି ରେଞ୍ଜ ଏବଂ ଖୋର୍ଦ୍ଧାର ୨ଟି ରେଞ୍ଜର ବନ ଅଧିକାରୀ ଓ କର୍ମଚାରୀଙ୍କ ସହ ଟ୍ରାଙ୍କୁଲାଇଜର ଟିମ୍‌ ଜଗି ରହିଥିଲେ । ପୂର୍ବାହ୍ନ ୯ଟା ୪୦ରେ ଏହି ଟ୍ରାଙ୍କୁଲାଇଜ୍‌ କରାଯାଇଥିବା ବେଳେ ୧୧ଟାରେ ହାତୀ ଅଚେତ ହୋଇଥିଲା । ହାତୀକୁ ନେବାପାଇଁ କ୍ରେନ୍‌ର ସାହାଯ୍ୟ ନିଆଯାଇଥିଲା । ସେପଟେ ଦନ୍ତାହାତୀକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଯେତିକି ଉତ୍ସୁକତା ଦେଖିବାକୁ ମିଳିଥିଲା ତାଠାରୁ ଅଧିକ ଆତଙ୍କିତ ମଧ୍ୟ ହୋଇଥିଲେ ସ୍ଥାନୀୟ ବାସୀନ୍ଦା ।
ଗତକାଲି ଦିନ ତମାମ୍‌ ପୁରୀ ସଦରର ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତର କୃଷ୍ଣାଜନପୁର ଗାଁର ହୋତା ସାହିରେ ଦନ୍ତା ହତୀ ଦେଖାଯିବା ପରେ ରାତିରେ ପୁରୀ ଅଠରନଳା ନିକଟ ଖଣ୍ଡିଆବନ୍ଧରେ ଦନ୍ତାକୁ ଦେଖିବାକୁ ମିଳିଥିଲା । ଗତକାଲି ରାତିରୁ ଖଣ୍ଡିଆବନ୍ଧ ଅଞ୍ଚଳରେ ବିଦ୍ୟୁତ ସରବରାହକୁ ବନ୍ଦ ରଖାଯାଇଥିଲା । ଖଣ୍ଡିଆବନ୍ଧ ଅଞ୍ଚଳ ଲୋକେ,ବନବିଭାଗ ଓ ପୁଲିସ କର୍ମଚାରୀ ମାନେ ରାତି ତମାମ୍‌ ଦନ୍ତାକୁ ଜଗି ରହିଥିବା ବେଳେ ଆଜି ସକାଳୁ ଦନ୍ତାଟି ପୁରୀ ସଦର ବାଲିଗୁଆଳି ଦେଇ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲ ଭିତରକୁ ଚାଲିଆସିଥିଲା । ତେବେ ଦନ୍ତାକୁ ନେଇ ଚାରିଆଡେ ଆତଙ୍କ ଖେଳିଯାଇଥିଲା । ଆଜି ସକାଳୁ ବାଲୁଖଣ୍ଡ ଅଭୟାରଣ୍ୟର ୧୧ ନମ୍ବର ସେକ୍ଟରରେ ହାତୀ ଠାବ ହୋଇଥିଲା । ତାର ଗତିବିଧିକୁ ଭଲ ଭାବେ ନିରୀକ୍ଷଣ କରାଯିବା ପରେ ତାଙ୍କୁ ଟ୍ରାଙ୍କୁଲାଇଜ୍‌ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିପାଇଁ ହାଇୱା, ରଶି, ଶିଙ୍କୁଳି, ଅଖା ଆଦି ମହଜୁଦ ରଖାଯାଇଥିଲା । ପୁରୀ ଡିଏଫଓ ରାମା ସାମୀ, ଖୋର୍ଦ୍ଧା ଡିଏଫଓ ପୂର୍ଣ୍ଣିମା ପାଣ୍ଡିଆନ୍‌ ଏହାର ନେତୃତ୍ୱ ନେଇଥିଲେ । ସୋମବାର ସକାଳେ ହାତୀ ଚନ୍ଦନପୁରରେ ପହଞ୍ଚିଥିଲା । ସନ୍ଧ୍ୟାରେ ପୁରୀ ସହର ଅଭିମୁଖେ ଆସି ଦେବୀଘାଟ ଠାରେ ପହଞ୍ଚି ଖଣ୍ଡିଆବନ୍ଧ ଅଞ୍ଚଳରେ ବୁଲୁଥିଲା । ରାତି ତମାମ ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସହ ସଦର ଥାନା ପୁଲିସ ଖୋଜାଖୋଜି କରି ହାତୀକୁ ପାଇ ନଥିଲେ । ଭୋରରୁ ହାତୀ ଖଣ୍ଡିଆବନ୍ଧରୁ ଗୋପାଳପୁର ଗହୀର ଦେଇ ବାଲିଗୁଆଳି ଗାଁରେ ପହଞ୍ଚିଥିଲା । ବାଲିଗୁଆଆଳି ଛକରେ ପୁରୀ-କୋଣାର୍କ ବେଳାମାର୍ଗ ଅତିକ୍ରମ କରି ବାଲୁଖଣ୍ଡ ଅଭୟାରଣ୍ୟରେ ପଶିଥିଲା ଦନ୍ତା । ବାଲିଗୁଆଳିର ବିପିନ ବିହାରୀ ସେଠୀ ଓ ମଙ୍ଗରାଜ ପ୍ରଧାନ ହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଏହାପରେ ବନ ବିଭାଗ ଟିମ୍‌ ବାଲୁଖଣ୍ଡରେ ପହଞ୍ଚିଥିଲା । ଗାଁ ଦାଣ୍ଡରେ ହାତୀ ଯାଉଥିବାର ସିସିଟିଭି ଫୁଟେଜ ଭାଇରାଲ୍‌ ହୋଇଥିଲା ।

Comments (0)
Add Comment