୧୨ ଘଣ୍ଟିଆ ରେଢାଖୋଲ ବନ୍ଦ

ରେଢାଖୋଲ:ସମ୍ବଲପୁର- ଅନୁଗୋଳ ୫୫ଜାତୀୟ ରାଜପଥର ମରାମତି ଓ ସଂପୂର୍ଣ୍ଣ ନିର୍ମାଣ ଦାବିରେ ଆଜି ୧୨ ଘଣ୍ଟିଆ ରେଢାଖୋଲ ବନ୍ଦ ଡାକରା ଦିଆଯାଇଛି । ରେଢାଖୋଲ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ବନ୍ଦ ଯୋଗୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡିମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି । ଆନ୍ଦୋଳନକାରୀମାନେ ଭୀମଭୋଇ ଛକ ଓ ମେଡିକାଲ ଛକ ରାସ୍ତା ଅବରୋଧ କରିଛନ୍ତି । ଏହା ଫଳରେ ସମ୍ବଲପୁର ଓ ଅନୁଗୋଳ ରାସ୍ତା ଠପ ହେବା ସହ ବୌଦ୍ଧ-ଦେବଗଡ ରାସ୍ତାରେ ମଧ୍ୟ ଗାଡି ଚଳାଚଳ ହୋଇପାରୁନାହିଁ ।
୨୦୧୬ ମସିହାରୁ ଚାରି ଥାକିଆ ରାସ୍ତା କାମ ଆରମ୍ଭ ହୋଇଥିବା ବେଳେ, ନିର୍ମାଣ କାର୍ଯ୍ୟ ସରି ପାରୁନି । ପୁରୁଣା ରାସ୍ତା ମରାମତି ସହ ନୂଆ ରାସ୍ତାକାମ ତ୍ୱରା ନ୍ୱିତ କରିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ରାସ୍ତା କାର୍ଯ୍ୟର ଅଗ୍ରଗତି ନ ହେବାରୁ ଏହାର ପ୍ରତିବାଦରେ ରେଢାଖୋଲ ବନ୍ଦ ଡାକରା ଦିଆଯାଇଛି । ବର୍ଷା ଋତୁ ଆସିବା ପରେ ରାସ୍ତା ପୂର୍ବା ଅପେକ୍ଷା ଆହୁରି ଶୋଚନୀୟ ହୋଇପଡିଛି ।
ଏହି ଆନ୍ଦୋଳନରେ ରେଢାଖୋଲ ନାଗରିକ କମିଟି ପକ୍ଷରୁ ପ୍ରଦୀପ କୁମାର ପ୍ରଧାନ, ବିଜୟ ମହାନ୍ତି, ଗୌରୀଶଙ୍କର ପାତ୍ର, ଅନାଦୀ ଚରଣ ସାହୁ, ମହାବୀର ସିଂହଦେଓ, ଉମେଶ ଦେହୁରୀ, ଗୁଞ୍ଜ ନନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।

Comments (0)
Add Comment