ସୌର ଚାଲିତ ନଳକୂଅ ଅଚଳ, ମରାମତି ପାଇଁ ପଞ୍ଚାୟତକୁ ହସ୍ତାନ୍ତର ପରେ ଦୁର୍ଦ୍ଦଶା ବଢୁଛି

ପାଟଣାଗଡ଼ : ସରକାର ପାନୀୟ ଜଳ ସମସ୍ୟା ଦୂର କରିବାକୁ ପଂଚାୟତ ଗୁଡିକକୁ ଦାୟିତ୍ୱ ଦେଇଛନ୍ତି । ହେଲେ ନଳକୂପ ମରାମତି ପଂଚାୟତକୁ ହସ୍ତାନ୍ତର ପରେ ଦୁର୍ଦ୍ଦଶା ବଢୁଛି ବୋଲି ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ବେଲପଡ଼ ବ୍ଲକ ତେନ୍ତୁଳୀମୁଣ୍ଡା ପଂଚାୟତର ତେନ୍ତୁଳି ମୁଣ୍ଡା ଗ୍ରାମ ସ୍କୁଲପଡାରେ ଥିବା ସୌର ଚାଳିତ ନଳକୂପ ଓ ସପ୍ଲାଇ ପାଣି ଦୀର୍ଘ ତିନି ମାସ ହେବ ଅଚଳ ହେତୁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ସେହିପରି ଖପ୍ରାଖୋଲ ବ୍ଲକ ଚଂଘରିଆ ପଂଚାୟତ ରେଙ୍ଗାଳଜୁରୀ ଗ୍ରାମର ଏକ ମାତ୍ର ସୌରଚାଳିତ ନଳକୂପ ଦୀର୍ଘ ଦିନ ହେବ ଅଚଳ ହୋଇ ପଡିଥିବା ସୂଚନା ମିଳିଛି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହରେ ଗ୍ରାମବାସୀ ପାନୀୟ ଜଳ ପାଇଁ ଡହକ ବିକଳ ହେଉଛନ୍ତି । ଗ୍ରାମବାସୀମାନେ ଖୋଲା କୁଅରୁ ପାଣି ବ୍ୟବହାର କରୁଛନ୍ତି । ଯାହାଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଦେଖାଦେଇଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment