ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କୀୟ ଜନ ଶୁଣାଣି ଶିବିର

ଦଶପଲ୍ଲା : ଓଡ଼ଗାଁ ବ୍ଲକ ସଭାଗୃହରେ ଗୁରୁବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ବିଜୟ ବଳିଆର ସିଂ, ଓଡ଼ଗାଁ ବିଡ଼ିଓ ସ୍ୱାତିଲେଖା ଦାସ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅରୁନ୍ଧତୀ ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଲୋକପାଳ ଗିରିଶ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭ୍ୟ ସଂଯୁକ୍ତା ପଢ଼ିଆରୀ, ଓଡ଼ଗାଁ ବ୍ଲକ ଉପାଧ୍ୟକ୍ଷା ମୀରା ନାୟକ, ବ୍ଲକ ସାମାଜିକ ସମୀକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ବଳିଆର ସିଂ ପ୍ରମୁଖ ମଞ୍ଚାସିନଥିବାବେଳେ ଏପିଓ ବିଭୁପ୍ରସାଦ ସାଥୁଆ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଚଳିତ ଆର୍ଥିକ ବର୍ଷରେ ଓଡ଼ଗାଁ ବ୍ଲକରେ ୩୧ହଜାର ୧୭୭ଜଣଙ୍କୁ ଜବ୍‌ କାର୍ଡ଼ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୧୧ହଜାର ୮୧୯ ଗୋଟି ପରିବାରଙ୍କୁ କାର୍ଯ୍ୟ ପ୍ରଦାନ କରାଯାଇଛି । ଏଥିମଧ୍ୟରୁ ମାତ୍ର ୨୬୧ଗୋଟି ପରିବାର ଶହେ ଦିନର କାମ ସମ୍ପୂର୍ଣ୍ଣ କରିଛନ୍ତି । ଚଳିତ ଆଥିର୍କ ବର୍ଷରେ ମନରେଗା ବାବଦକୁ ୧୩କୋଟି ୭୫ଲକ୍ଷ ୯୦ହଜାର ଟଙ୍କା ଖର୍ଚ୍ଚ ସରିଥିବା ବେଳେ ସେଥିମଧ୍ୟରୁ ୧୦କୋଟି ୭୪ଲକ୍ଷ ୯୭ହଜାର ଟଙ୍କା ଅଣକୁଶଳୀ କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଥିବାବେଳେ ସାମଗ୍ରୀ କିଣା ବାବଦକୁ ୨କୋଟି ୬୨ଲକ୍ଷ ୭୦ହଜାର ଟଙ୍କା ଖର୍ଚ୍ଚ ହୋଇଛି । ମୋଟ ୯୧୯୪ଗୋଟି ପ୍ରକଳ୍ପ କାର୍ଯ୍ୟ କରିବାକୁ ଲକ୍ଷ୍ୟ ଥିବା ବେଳେ ୧୨୭୧ଗୋଟି ପକଳ୍ପ ସଂପୂର୍ଣ୍ଣ ହୋଇଛି । ୧୭ଶହ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ବେଳେ ୩୨୨୩ଗୋଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ୨୬୧ ପରିବାର ଶହେଦିନର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି ।

ଓଡଗାଁ ବ୍ଳକ ସଭାଗୃହରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଅଛି ।ଏହି ଅବସରରେ ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ସାହୁ ଦଳମତ ନିର୍ବିଶେଷରେ ଗାଁ ପୋଖରୀ, ରାସ୍ତାଘାଟ, ଅଙ୍ଗନବାଡି ଗୃହ, ଖେଳପଡିଆ ନିର୍ମାଣ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏଥିପାଇଁ ଗାଁ ଲୋକଙ୍କ ସହ ଉତ୍ତମ ବୁଝାମଣା କରି ପ୍ରଚାର/ପ୍ରସାର ଜରିଆରେ ଲୋକଙ୍କୁ ଅବଗତ କରିବାର ଆବଶ୍ୟକତା ରହିଛି । ଗାଁର ବିକାଶ ହେଲେ ଓଡ଼ଗାଁ ତଥା ନୟାଗଡ଼ ଜିଲ୍ଲା ଏକ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚିପାରିବ ବୋଲି କହିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ମୃତ ହିତାଧିକାରୀଙ୍କ ନାମ ବାଦ ଦେବା ଓ ଆଧାର କାର୍ଡ ସଂଯୋଗ ହୋଇନଥିବା ବ୍ୟକ୍ତି କିପରି ଯୋଜନାରୁ ବଞ୍ଚିତ ନହେବେ ସେ ନେଇ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା । ବୈଠକରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଗ୍ରାମ ସାଥୀ, ଗ୍ରାମ ସମ୍ବଳ କର୍ମୀ, ଯୋଗାଣ ସହାୟକ, ଖାଦ୍ୟ ସାମଗ୍ରୀ ବଣ୍ଟନକାରୀ ଗୋଷ୍ଠୀର ପ୍ରତିନିଧି ଓ ଶ୍ରମଜୀବୀମାନେ ଜନଶୁଣାଣୀରେ ସାମିଲ ଥିଲେ ।

Comments (0)
Add Comment