ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟି, ବିଦ୍ୟୁତ ବିଭାଗର ଅଣଦେଖା

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ୪ ନମ୍ବର ୱାର୍ଡ଼ ଅନ୍ତର୍ଗତ ଶ୍ରୀରାମ ପଦା ନୂତନ ବସ ଷ୍ଟାଣ୍ଡ ନିକଟରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟି ବିପଦପୂର୍ଣ୍ଣ ଅବସ୍ଥାରେ ଗୋଟେ ପଟକୁ ଢଳି ରହିଛି । ବିଦ୍ୟୁତ୍‌ ଖୁଣ୍ଟିର ଅବସ୍ଥା ଦେଖିଲେ ଅତି ଭୟଭୀତ ଲାଗୁଛି,କୌଣସି କାରଣବଶତଃ ଖୁଣ୍ଟିଟି ତଳେ ପଡିଗଲେ ଆଖପାଖ ଅଞ୍ଚଳର ପ୍ରାୟ ୫୦ ପରିବାର ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ସର୍ଟ ସର୍କିଟ ଯୋଗୁଁ ଜୀବନ ଚାଲିଯିବାର ଆଶଙ୍କା ରହିଛି । ବର୍ତ୍ତମାନର ସ୍ଥିତି ଦେଖିଲେ ଖୁଣ୍ଟି ସହ ସଂଯୋଗ ହୋଇଥିବା ତାର ଦେଇ ବିଦ୍ୟୁତ୍‌ ପ୍ରବାହିତ ହେବା ସହ ୬ ମାସ ହେବ ଖୁଣ୍ଟିଟି ଝୁଲନ୍ତା ଅବସ୍ଥାରେ ରହିଛି । ଯାହା ନିକଟରେ ଥିବା ଏକ ବାଉଣ୍ଡରି ୱାଲରେ ଲାଖି ରହିଛି ଯାହା ଅତି ବିପଦ ପୂର୍ଣ୍ଣ । ଏ ବିଷୟରେ ଘୁ. ଉଦୟଗିରି ବିଦ୍ୟୁତ୍‌ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ବିଦ୍ୟୁତ୍‌ ବିଭାଗର ନିଦ ଭାଙ୍ଗୁନି, ଲାଗୁଚି ଯେମିତି କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ୍‌ କର୍ମଚାରୀ ଓ ଅଧିକାରୀ । କିଏ ଜାଣେ କେତେବେଳେ କାଳବୈଶାଖୀର ଝଡ଼ ବର୍ଷାରେ ଖୁଣ୍ଟଟି ତଳେ ପଡ଼ି କାହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ତା’ ସହ ଖୁଣ୍ଟଟି ଯଦି ଭାଙ୍ଗିଯାଏ ତେବେ ସେହି ଅଞ୍ଚଳଟି ଅନ୍ଧକାରମୟ ହେବା ସହ ପ୍ରାୟ ୫୦ ପରିବାର ଅସୁବିଧାର ସମ୍ମୁଖିନ ହେବା ନିଶ୍ଚିତ । ବହୁଥର ଅଞ୍ଚଳବାସୀଙ୍କ ଅନୁରୋଧ ଓ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ବେଳେ ସମୟ ଥାଉଥାଉ ଯଦି ବିଦ୍ୟୁତ୍‌ ଖୁଣ୍ଟିକୁ ସଜଡ଼ା ନ ଯାଏ ଭବିଷ୍ୟତରେ ଅଞ୍ଚଳବାସି ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଉଚିତ୍‌ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେବାସହ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଦାୟିତ୍ୱହୀନ କାର୍ଯ୍ୟ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Comments (0)
Add Comment