ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ ସହିତ ଟାଟା ପାୱାରର ଚୁକ୍ତିନାମା ସ୍ୱାକ୍ଷରିତ

ସମ୍ବଲପୁର: ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ଆବଣ୍ଟନ କରୁଥିବା କମ୍ପାନୀ ଟିପିଡବ୍ଲୁଓଡିଏଲ (ଟାଟା ପାୱାର) ସହିତ ଏଠାକାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ୨ଟି ଚୁକ୍ତିନାମା ଆଜି ସ୍ୱାକ୍ଷର ହୋଇଯାଇଛି । ସ୍ଥାନୀୟ ବୁର୍ଲା ସ୍ଥିତ ଟାଟା ପାୱାର କମ୍ପାନୀର ନିଜସ୍ୱ କର୍ପୋରେଟ କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭିସୁଟ ପକ୍ଷରୁ କୁଳପତି ପ୍ରୋ ବଂଶୀଧର ମାଝୀ ଓ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇ. ଗଜାନନ କାଳେ ଉକ୍ତ ଚୁକ୍ତିନାମାରେ ନିଜ ହସ୍ତାକ୍ଷର କରିଥିଲେ । ଏହାଫଳରେ ଉଭୟ ଅନୁଷ୍ଠାନଙ୍କ ମଧ୍ୟରେ ବୈଷୟିକ ଜ୍ଞାନ ଆଦାନ ପ୍ରଦାନ ସମ୍ଭବ ହୋଇ ପାରିବ । ବୈଦ୍ୟୁତିକ ଯାନର ରିଚାର୍ଡ ଷ୍ଟେସନ ସ୍ଥାପନ ସହିତ ଶକ୍ତି ନବୀକରଣ ଦିଗରେ ଆଜିକାର ଚୁକ୍ତିନାମା ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଉଭୟ ପକ୍ଷରୁ କୁହାଯାଇଛି । ଏକପଟେ ଉକ୍ତ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କୁ ତୃଣମୂଳ ସ୍ତରରେ ବୈଷୟିକ ଜ୍ଞାନ ଆହରଣ ଓ ଏହାର ପ୍ରାୟୋଗିକ ପକ୍ଷ ଅଧ୍ୟୟନ ସକାଶେ ପଥ ପ୍ରଶସ୍ତ ହୋଇପାରିବ, ତ ଅନ୍ୟପଟେ ବିଦ୍ୟୁତ ବିତରଣ କ୍ଷେତ୍ରରେ ନୂତନ ଜ୍ଞାନ ବ୍ୟବହାର ଦିଗରେ ଟାଟା ପାୱାର କମ୍ପାନୀ ଲାଭବାନ ହେବ ବୋଲି ଆଶା କରାଯାଉଛି । ଏହି ନୂତନ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ପାରଙ୍ଗମ ସମିତି ଗଠନ କରାଯିବା ବିଷୟରେ ଆଜି ସମ୍ୟକ ସୂଚନା ମଧ୍ୟ ପ୍ରଦାନ କରାଯାଇଥିଲା ।

Comments (0)
Add Comment