ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୭ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ୱତନ୍ତ୍ର ପୋକ୍ସ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୨ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ କୁଶ ପରିଛାକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋକ୍ସ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।
ଘଟଣା ଅନୁସାରେ ଅଭିଯୁକ୍ତ କୁଶ ପରିଛା ଗତ ୧୬/୧୦/ ୨୦୧୭ ତାରିଖ ଦିନ ୧୦ଟା ସମୟରେ ନାବାଳିକା ପିଡିତା ଏକାକି ଘରେ ଥିବା ବେଳେ ଅଭିଯୁକ୍ତ ଘରକୁ ଯାଇ ଦୁଷ୍କର୍ମ କରି ପଳାଇ ଯାଇଥିଲା । ପିଡିତାଙ୍କ କାନ୍ଦ ଶୁଣି ଘର ପାଖ ଜଙ୍ଗଲରେ ଖଲି ପତ୍ର ତୋଳୁଥିବା ପିତାମାତା ଓ ଅନ୍ୟ ଦୁଇ ଜଣ ଆସି ପହଞ୍ଚିଲେ । ପିଡିତା ସମସ୍ତ ଘଟଣା ସେମାନଙ୍କୁ କହିବା ପରେ ସେଦିନ ରାତିରେ ପରିବାର ସହ ଯାଇ ଦାରିଙ୍ଗବାଡି ଥାନାରେ ନିଜେ ରିପୋର୍ଟ ଦେଇଥିଲେ । ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ୯୯/୨୦୧୭ ପୋକ୍ସ ଆଇନ ଅନୁସାରେ ମାମଲା ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା । ସେହି ମାମଲାର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି ।

Comments (0)
Add Comment