କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା, ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ପୁରୀ : ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଅନ୍ୟ ୪ ଅଭିଯୁକ୍ତକୁ ପୁରୀ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ୪ ଜଣ ହେଲେ କୁନମୁନ ସୁଆର, ଟୁଟୁ ମହାପାତ୍ର , ହରି ପଣ୍ଡା, ଜଗନ ଖଟେଇ । ଏହି ଅଭିଯୁକ୍ତ ମାନେ କୃଷ୍ଣଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ଏହି ୪ ଅଭିଯୁକ୍ତ ହତ୍ୟାକାଣ୍ଡ କରି ଖସି ପଳାଇ ଥିଲେ । ପ୍ରଥମେ ପୁରୀ ସାତପଡା ଜଙ୍ଗଲ ରେ ଲୁଚି ରହିବା ପରେ ଚିଲିକା ଭିତରେ ଏକ ବୋଟରେ ୨ ଦିନ ୨ ରାତି ରହିଥିଲେ । ପରେ ସେମାନେ ରାଜ୍ୟ ବାହାରକୁ ଖସି ଯିବାପାଇଁ ଯୋଜନା କରି ବ୍ରହ୍ମପୁର ଓ ପରେ କୋରାପୁଟ ଯାଇଥିଲେ । ତେବେ ପୋଲିସତାଙ୍କୁ ଶେଷରେ କୋରାପୁଟରୁ ଧରିବାରେ ସଫଳ ହୋଇଛି । ତେବେ ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାରେ ପୁରୀ ପୋଲିସ ପୂର୍ବରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ କାଳିଆ ସିଂହାରି ଓ ତାଙ୍କ ପୁଅ ଦୋଳଗୋବିନ୍ଦ ସିଂହାରିଙ୍କୁ ପୋଲିସ ଗିରଫ କରିସାରିଛି । ୨୦୧୨ ମସିହାରେ ସେବାୟତ ଗୁନ ସିଂହାରି ହତ୍ୟାକାଣ୍ଡ ଘଟଣା ପ୍ରତିଶୋଧ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ଗୁନ ସିଂହାରିଙ୍କ ହତ୍ୟା ମାମଲାରେ ମୃତ କୃଷ୍ଣଚନ୍ଦ୍ର ପ୍ରତିହାରୀ ସାମିଲ ନେଇ ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା । ପରେ ପ୍ରମାଣ ଅଭାବରୁ କୃଷ୍ଣଚନ୍ଦ୍ର ପ୍ରତିହାରୀ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇ ଥିଲେ । ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ଗୁନ ସିଂହାରିଙ୍କ ଭାଇ କାଳିଆ ସିଂହାରି ଓ ତାଙ୍କ ପୁଅ ଦୋଳଗୋବିନ୍ଦ ସିଂହାରି ମିଶି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ । ଗତ ୧୬ ତାରିଖରେ ବାରବାଟୀ ଜାଗାରେ କୃଷ୍ଣଚନ୍ଦ୍ର ବସିଥିବା ବେଳେ ଅଭିଯୁକ୍ତ ମାନେ ଗୁଳି କରି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିଥିଲେ ।

Comments (0)
Add Comment