ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟଟି ସମସ୍ୟା ଘେରରେ ରହିଛି । ଜିଲ୍ଲାର ବିକାଶ ସକାଶେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ଦେଉଥିବା ବେଳେ ଅର୍ଥର ସୁ ବିନିଯୋଗ ହୋଇପାରୁ ନ ଥିବା ଅଭିଯୋଗ ହେଉଛି । ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ମାନ ରହିଥିବା ବେଳେ ଯୋଜନାର ସଫଳ ରୂପାୟନ ହେଉ ନ ଥିବା ଅଭିଯୋଗ ହେଉଛି । ବିଭାଗରେ ବିଭିନ୍ନ ପଦବୀ ଖାଲି ପଡିବା ସାଙ୍ଗକୁ କାର୍ଯ୍ୟରତ କର୍ମଚାରୀମାନେ ଦୀର୍ଘ ୧୦ ବର୍ଷ ରୁ ୧୫ ବର୍ଷ ହେବ କ୍ଷେତ୍ର କର୍ମଚାରୀ ଓ ଅଫିସ କର୍ମଚାରୀମାନେ କାର୍ଯ୍ୟରତ ଥିବା ଦେଖିବାକୁ ମିଳିଛି । ଏହି ମାନଙ୍କୁ ଅନ୍ୟତ୍ର ବଦଳି ମଧ୍ୟ ହେଉ ନାହିଁ । ଯାହା ଫଳରେ ଜିଲ୍ଲାରେ ବିକାଶର ବାଧକ ସାଜିବା ସହିତ ଦୁର୍ନୀତିର ଗନ୍ତାଘର ପାଲଟି ଯାଇଥିବା ଅଭିଯୋଗ ହେଉଛି । ଏପଟେ ରାଜ୍ୟ ସରକାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉ ଥିବା ବେଳେ ୫-ଟି ମୋ ସରକାର କହୁଥିବା ବେଳେ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚାଷୀଙ୍କ ସୁବିଧା ସକାଶେ ପୋଖରୀ ଖନନ, କେନାଲ, ଚେକ ଡ୍ୟାମ ପ୍ରଭୃତି କାମ ଚାଲୁଥିବା ବେଳେ ଓ ଲାଇବ ହୁଡ଼ ପ୍ରୋଜେକ୍ଟ ଦ୍ୱାରା ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନ ଯାଇ ନିଜ ଅଞ୍ଚଳରେ ଜୀବନ ଜୀବିକା ହୋଇପାରିବ ତା ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ତାହା ଲକ୍ଷ୍ୟଚ୍ୟୁତରୁ ବିଚ୍ୟୁତ ହେଉଥିବା ର ଅଭିଯୋଗ ହେଉଛି । ପୋଖରୀ ଖନନ ମଣିଷ ବଦଳରେ ଜେସିବି ସାହାଯ୍ୟରେ ଖୋଳା ଯାଉଥିବାର ଜନ ପ୍ରତିନିଧିମାନେ ସମିତି ବୈଠକରେ ପ୍ରଶ୍ନ ବାଣରେ ବିଭାଗୀୟ କର୍ତ୍ତୃପକ୍ଷ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ । ଯାହା ଫଳରେ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ଏଥିପ୍ରତି ଜିଲ୍ଲା ପ୍ରଶାସନ ବା ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଲେ ଜିଲ୍ଲାର ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି ।