ଜିଲ୍ଲାରୁ ୪୯ କରୋନା ଆକ୍ରାନ୍ତ, ଦଶପଲ୍ଲା ମାଳ ଅଂଚଳରେ ସ୍ଥିତି ଜାହିର୍‌ କଲା କରୋନା

ଦଶପଲ୍ଲା : କିଛି ମାସର ବ୍ୟବଧାନ ପରେ ନୟାଗଡ଼ ଜିଲ୍ଲାରୁ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଖାଯାଇଛି । ଗୋଟିଏ ଦିନରେ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଜି ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରେ ଦଶପଲ୍ଲାରୁ ସର୍ବାଧିକ ୩୧ ଆକ୍ରାନ୍ତ ରହିଥିବା ବେଳେ ନୂଆଗାଁ ୧୦, ରଣପୁର ୩, ଭାପୁର, ଖଣ୍ଡପଡ଼ାରୁ ୨ ଜଣ ଲେଖାଏଁ, ନୟାଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେବେ ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଭୋଗବାଡ଼ି କନ୍ୟାଶ୍ରମରେ ୨୬ ଜଣ ଛାତ୍ରୀ କରୋନା ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାତ ଚନ୍ଦ୍ର ଘଡେଇଙ୍କ କହିବା ଅନୁଯାୟୀ ଗତ ୪ ଓ ୬ ତାରିଖ ଦିନ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ହଷ୍ଟେଲରେ ସମୁଦାୟ ୧୧୦ ଜଣ ଛାତ୍ରୀ ରହୁଥିବା ଜଣାପଡ଼ିଛି । ଚିହ୍ନଟ ସମସ୍ତ ଛାତ୍ରୀ ଲକ୍ଷଣବିହୀନ ହୋଇଥିବାରୁ ସମସ୍ତଙ୍କୁ ହଷ୍ଟେଲର ଉପର ମହଲାରେ ରଖାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । କିଛି ଅଘଟଣ ଘଟିବା ପୂର୍ବରୁ ଟାକରା, ବୁଗୁଡା, ଜାମୁସାହି, ବାଣୀଗୋଛା ଭଳି ଅନ୍ୟ ଆବାସିକ ବିଦ୍ୟାଳୟ ଗୁଡ଼ିକରେ କରୋନା ପରୀକ୍ଷା କରାଯାଇ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସର୍ବସାଧାରଣରେ ଦାବୀ ହେଉଛି ।

Comments (0)
Add Comment