ଚଣ୍ଡିଖୋଲ: ମା ଓ ଶିଶୁ ସୁରକ୍ଷା ପାଇଁ ସରକାର ବହୁ ଯୋଜନା କରୁଛନ୍ତି, ହେଲେ ଡାକ୍ତରଙ୍କ ସାମାନ୍ୟ ଅବହେଳା ଯୋଗୁଁ ଅକାଳରେ ଝଡି ପଡୁଛି ମା । ଏମିତି ଚିତ୍ର ଆସିଛି ବଡ଼ଚଣାରୁ । ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଡ଼ଚଣା ଗ୍ରାମର ପ୍ରଶାନ୍ତ ବାହାଲିଆଙ୍କ ପତ୍ନୀ ରୋଜାଲିନ୍ଙ୍କର ଆଜି ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ରୋଜାଲିନ୍ଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତଥା ବଡ଼ଚଣା ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ମାନସ ଧଳଙ୍କ ପାଖକୁ ଆଣିଥିଲେ । ଡାକ୍ତର ଭିଡର ଆଳଦେଖାଇ ବିଳମ୍ବରେ ଚିକିତ୍ସା କରିଥିଲେ । ସେତେବେଳେକୁ ହିଁ ରୋଜାଲିନ୍ଙ୍କ ଯନ୍ତ୍ରଣା ବଢିବା ସହ ଏକ ସନ୍ତାନ ଜନ୍ମ ଦେଇଥିଲେ । ଏହାର ମାତ୍ର କିଛି ସମୟ ପରେ ପ୍ରଚୁର ରକ୍ତତ୍ସାବ ହୋଇଥିଲା, ଡାକ୍ତର ଚିକିତ୍ସା କରିବା ପରିବର୍ତ୍ତେ ତମର ଏଠି ଭଲ ହୋଇପାରିବ ନାହିଁ, ତମେ କଟକ ଯାଅ ବୋଲି କହିଥିଲେ । ରୋଜାଲିନ୍ଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ କଟକ ନେଉଥିବା ବେଳେ ଛତିଆ ନିକଟରେ ରୋଜାଲିନ୍ଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଆଉ କଟକ ନନେଇ ପୁନଃ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ସହ ମୃତ୍ୟୁ ନେଇ ଡାକ୍ତର ଧଳଙ୍କୁ ପ୍ରଶ୍ନ କରିବା ସହ କିଛି ସମୟ ବଚସା ହୋଇଥିଲା । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମର ଶହଶହ ଲୋକ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଉତ୍ତେଜନା ପ୍ରକାଶ କରିଥିଲେ । ଖବର ପାଇ ବଡ଼ଚଣା ଥାନା ଅଧିକାରୀ ସୁଶୀଲ କୁମାର ନାୟକ ଓ ଟିମ୍ ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ । ତେବେ ପ୍ରସବ ସମୟରେ ଡାକ୍ତର ଅନୁପସ୍ଥିତ ରହିବା ଓ ଡାକ୍ତର ବଦଳରେ ନର୍ସ ଷ୍ଟିଜ୍ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ରାତ୍ରୀ ସମୟରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ମାନସ ଧଳ ରହୁନଥିବାରୁ ଏଭଳି ସମସ୍ୟା ବାରମ୍ବାର ଉପୁଜିଥିବା ଲକ୍ଷ୍ୟ କରାଯାଇଛି ।