ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ପ୍ରାଥମିକ ଶିକ୍ଷକ(ex-cadre) ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ୮ଦଫା ସମ୍ବଳିତ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । ସଙ୍ଘର ସଭାପତି ବନମାଳୀ ମହାକୁଡ଼ ଓ ସାଧାରଣ ସମ୍ପାଦକ ହିମାଂଶୁ ଭୂଷଣ ଗୌଡ଼ଙ୍କ ନେତୃତ୍ୱରେ ବ୍ଲକର ପ୍ରାୟ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏକ ରାଲି ମାଧ୍ୟମରେ ଡଙ୍ଗରଭେଜା ଶିବ ମନ୍ଦିର ଠାରୁ ବ୍ଲକ ଅଫିସକୁ ଯାଇଥିଲେ । ସେଠାରେ ବିଇଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ବେହେରାଙ୍କୁ ଦାବିପତ୍ର ଦେଇଥିଲେ । ଦାବି ଗୁଡିକ ହେଲା ଓଟିଇଟି ଉଚ୍ଛେଦ କରି ଯୋଗ୍ୟ ଗଣଶିକ୍ଷକଙ୍କୁ ନିୟମିତ କରାଯାଉ ଓ ଅବଶିଷ୍ଟଙ୍କ ଦରମା ବଢାଯାଉ, ସମସ୍ତ ଶିକ୍ଷକଙ୍କୁ ବନ୍ଦ ଥିବା ଇଂକ୍ରିମେଣ୍ଟ ପ୍ରଦାନ କରାଯାଉ,ସମସ୍ତ ଶିକ୍ଷକଙ୍କ ଦରମା ଟ୍ରେଜେରୀ ଜରିଆରେ ଦିଆଯାଉ ଇତ୍ୟାଦି । ସଙ୍ଘର ସାଧାରଣ ସମ୍ପାଦକ କହିଛନ୍ତି ଯେ ଯଦି ଆସନ୍ତା ୨୭ ତାରିଖ ସୁଦ୍ଧା ଆମ ଦାବିକୁ ସରକାର ନ ମାନନ୍ତି ତାହାହେଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ।