ଘୁ ଉଦୟଗିରି: ଓଡ଼ିଶାରେ ବିଦ୍ୟୁତ ଆବଣ୍ଟନ ଦାୟିତ୍ୱ ଟାଟା କମ୍ପାନୀ ନେବା ପରେ କିଛି କିଛି ନୂଆ ପଦକ୍ଷେପ ନେଉଥିବା ବେଳେ ଟିପିଏସଓଡିଏଲ ପକ୍ଷରୁ ଆଉ ଏକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ପରିଚାଳନା, ବ୍ୟବସାୟିକ ଏବଂ ସିଏସଆର ଭଳି ଗୁରୁତ୍ୱପୂର୍ଣ କାର୍ଯ୍ୟକୁ ନେଇ ଗ୍ରାମପଞ୍ଚାୟତ ସ୍ତରରୁ ନିଜ କାର୍ଯ୍ୟକ୍ରମ ଆରମ୍ଭ କରିଛି । କନ୍ଧମାଳ ଜିଲ୍ଲାର ମୋଟ ୧୭୪ ଗୋଟି ପଞ୍ଚାୟତ ମଧ୍ୟରୁ ପ୍ରଥମ ପଞ୍ଚାୟତ ଘୁ.ଉଦୟଗିରି ବ୍ଲକର ମାଲିକାପଡି ପଞ୍ଚାୟତକୁ ମଡେଲ ପଞ୍ଚାୟତ ଭାବେ ଗ୍ରହଣ କରିଛି । ଆଜି ମାଲିକାପଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଝରଣା ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ଟିପିଏସଓଡିଏଲର ଜିଲ୍ଲା ନିର୍ବାହୀ ଅଧିକାରୀ ତଥା ନିର୍ବାହୀଯନ୍ତ୍ରୀ ମନୋଜ କୁମାର ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗ ଦେଇ ମଡେଲ ପଞ୍ଚାୟତର ଆଭିମୁଖ୍ୟ ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ । ମଡେଲ ପଞ୍ଚାୟତର ଆଭିମୁଖ୍ୟ ହେଲା ପରିଚାଳନାରେ ବିଦ୍ୟୁତ ଯୋଗାଣ ବିଶ୍ୱସନୀୟତାରେ ଉନ୍ନତି, ଶୂନ୍ୟ ଅସୁରକ୍ଷିତ ସ୍ଥାନ ଏବଂ ବିଦ୍ୟୁତ ସମାଧାନ କେନ୍ଦ୍ର,ସେଇଭଳି ବ୍ୟବସାୟିକ ଦୃଷ୍ଟିରୁ ଶୂନ୍ୟ ବିଲ ବାବଦ ମାମଲା, ଶୁନ୍ୟ ଅସ୍ଥାୟୀ ବିଲିଂ, ସମସ୍ତ ଗ୍ରାହକ ମାନଙ୍କ ବିଲିଂ ଏବଂ ବିଲ ଆଦାୟ, ଶୁନ୍ୟ ବକେୟା ଏବଂ ସର୍ବାଧିକ ଡିଜିଟାଲ ପେମେଣ୍ଟ । ସିଏସଆର ମାଧ୍ୟମରେ ଶକ୍ତି ସଂରକ୍ଷଣ ଅଭିଯାନ,ଡିଜିଟାଲ ସାକ୍ଷରତା ଏବଂ ଜୀବିକା ସୁଯୋଗ ବୃଦ୍ଧିକୁ ନେଇ ପ୍ରଥମ ଥର ପାଇଁ ଜିଲ୍ଲାର ପ୍ରଥମ ପଞ୍ଚାୟତ ମାଲିକାପଡିକୁ ମଡେଲ ପଞ୍ଚାୟତ ଭାବେ ନିଆଯାଇଛି । ଦିଲୀପ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟୁତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ବେହେରା, ସହକାରୀ ଯନ୍ତ୍ରୀ କରମଜିତ ଦାସ, ଜି କମର୍ସର ମୁଖ୍ୟ ଅନିରୁଦ୍ଧ ହାଜରା,ନୋଡାଲ ଅଫିସର ଜ୍ଞାନ ମହାନ୍ତି, ଟିମ ଲିଡ଼ର ପରେଶ ପଟ୍ଟନାୟକ, ଆରପିଓ ମଳୟ ଦାଶ, ସମୀର ଶତପଥୀ, ଗୋପୀନାଥ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।