ନୀଳମାଧବ ପୀଠ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ, ଉନ୍ନତିକରଣ କାମ ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହିତ କଲେ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଆଜି କଣ୍ଟିଲୋ ନୀଳମାଧବ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ ।


ନୟାଗଡ ଜିଲ୍ଲାର କଣ୍ଟିଲୋ ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ମହାନଦୀ କୂଳରେ ନୀଳମାଧବ ପୀଠର ଶୋଭା ଅତ୍ୟନ୍ତ ମନୋରମ । ୫-ଟି କାର୍ଯ୍ୟକ୍ରମରେ ଏହି ପୀଠର ବିକାଶ କରି ଅଧିକ ପର୍ଯ୍ୟଟକଙ୍କୁ ସେଠାକୁ କିପରି ଆକୃଷ୍ଟ କରାଯାଇପାରିବ, ସେ ସମ୍ପର୍କରେ ସରକାର ପଦକ୍ଷେପ ନେଉଛନ୍ତି । ଏହା ସହିତ ଏଠାକୁ ଆସୁଥିବା ଭକ୍ତମାନଙ୍କ ସୁବିଧା ପାଇଁ ମଧ୍ୟ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ । ଏଥି ନିମନ୍ତେ ଖୁବ ଶୀଘ୍ର ଏକ ମାଷ୍ଟର ପ୍ଲାନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି ଜଣାଯାଇଛି । ଏଥି ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଏହି ପରଦର୍ଶନ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ବି. ବି ଯାଦବ, ନୟାଗଡ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment