ମଡେଲ ଡିଗ୍ରୀ କଲେଜର ବିଭିନ୍ନ ସମସ୍ୟା ନେଇ ଛାତ୍ରଙ୍କ ଧାରଣା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସଦର ନିକଟସ୍ଥ ପିପିଲିପାଲ ସ୍ଥିତ ମଡେଲ ଡିଗ୍ରୀ କଲେଜରେ ଛାତ୍ର ଅଶାନ୍ତି ଦେଖା ଯାଇଥିବା ଜଣାପଡିଛି । ଛାତ୍ରମାନେ ବିଭିନ୍ନ ଦାବି ପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଇ ଧାରଣାରେ ବସିଛନ୍ତି । ନଭେମ୍ବର ମାସଠାରୁ ପାଠପଢା ଆରମ୍ଭ ହୋଇଥିଲେ ମଧ୍ୟ, ଜାନୁଆରୀ ମାସଠାରୁ ପୁଣି ଥରେ ଲକଡାଉନ ହୋଇଯାଇଥିଲା । ଏପରି ସ୍ଥଳେ କେତେକ ଛାତ୍ର ଅନଲାଇନ ପାଠ ସହ ଯୋଡିହେଲେ ଓ ଆଉକିଛି ଛାତ୍ର ଯୋଡି ହୋଇପାରିଲେ ନାହିଁ । ଏଭଳି ହେବା ଯୋଗୁଁ କୋର୍ସ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ଛଅ ମାସର କୋର୍ସକୁ କେମିତି ଦୁଇ ମାସରେ ସମ୍ପୂର୍ଣ୍ଣ କରିବୁ ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି । ପୁଣି ଛଅଟି ସେମିଷ୍ଟାରକୁ ଆଉ ଦୁଇ ମାସ ରହିଥିବା ବେଳେ ଦୁଇ ମାସ ମଧ୍ୟରେ କେମିତି ପଢ଼ିବୁ ବୋଲି ଅଭିଯୋଗ କରିଛନ୍ତି । ଯେଉଁ ଛାତ୍ର ଅନ୍ୟ ବିଶ୍ୱବିଦ୍ୟାଳୟକୁ ଯିବେ କେମିତି ନିଜକୁ ପ୍ରସ୍ତୁତ କରିବେ ସେ ନେଇ ମଧ୍ୟ ଛାତ୍ରଙ୍କ ମଧ୍ୟରେ ସନ୍ଦେହ ଉପୁଜିଛି । ଅନଲାଇନ ମୋଡ଼ରେ ପରୀକ୍ଷା କରାଇବାକୁ ଛାତ୍ରମାନେ ଦାବି କରି ରାଜରାସ୍ତା ଅବରୋଧ କରିବା ସହ ଧାରଣାରେ ବସିଛନ୍ତି । ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି । ଶିକ୍ଷା ମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଛାତ୍ର ମାନେ ଦାବି ଜଣାଇଛନ୍ତି ।

Comments (0)
Add Comment