ଦଶପଲ୍ଲା : ନାମକୁ ମାତ୍ର ଚାଲୁଛି ପାନୀୟ ଜଳ ପ୍ରକଳ୍ପ , ହେଲେ ଲୋକଙ୍କୁ ମିଳୁନି ମୁନ୍ଦାଏ ପିଇବା ପାଣି । କେଉଁ ସାହିକୁ ପାଣି ଯାଉଛି ତ ପୁଣି କେଉଁ ସାହିକୁ ନାହିଁ। ଚାତକ ଭଳି ପାଣିକୁ ଚାହିଁ ବସୁଛବି ଗ୍ରାମବାସୀ। ଏଭଳି ସ୍ଥିତିରେ ଦାଉ ସାଜୁଛି ଅଘୋଷିତ ବିଦ୍ୟୁତକାଟ୍ । ୨ ମିନିଟ୍ ପ୍ରକଳ୍ପ ଚାଲିଲେ ୨ ଘଣ୍ଟା ବିଦ୍ୟୁତକାଟ୍ ହେଉଛି । ଏହାକୁ ନେଇ ଗତ ପ୍ରାୟ ୭ ଦିନ ହେଲା ପାଣି ପାଇଁ ଡ଼ହଳବିକଳ ହେଉଛନ୍ତି ଟାକରା ପଞ୍ଚାୟତ ଅଧୀନସ୍ଥ ବୁଗୁଡ଼ା, ବୁଗୁଡ଼ା କଲୋନି, ବାଲିସାହି, ସିଲିଂ ସାହି ଓ ରାସ୍ତାକଡ଼ ସାହିର ପ୍ରାୟ ୨ ଶହ ପରିବାର ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ପାଣି ସଂକଟକୁ ନେଇ ଆଜି ଅସନ୍ତୋଷ ଝାଡ଼ିଛନ୍ତି ଏସବୁ ଗ୍ରାମର ଅଧିବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏହି ପ୍ରକଳ୍ପ ଉପରେ ଏସବୁ ଗ୍ରାମର ଅଧିବାସୀ ନିର୍ଭରଶୀଳ । ମାତ୍ର ଏବେ ମିଳୁନି ପାଣି । ପ୍ରକଳ୍ପ ସଠିକ୍ ଭାବେ କାମ କରୁନି। ଗୋଟିଏ ଗୋଟିଏ ସେକ୍ସନକୁ ପାଣି ଛାଡ଼ିବା ପରିବର୍ତ୍ତେ ଏକ ସଙ୍ଗରେ ପ୍ରତ୍ୟେକ ସାହିକୁ ପାଣି ଛାଡ଼ିବା ପାଇଁ ଚାବିକୁ ଖୋଲା କରି ଦିଆଯାଉଛି। ପ୍ରକଳ୍ପରେ ଆବଶ୍ୟକ ପରିମାଣର ପାଣି ନଥିବା ବେଳେ ବିଦ୍ୟୁତର ଲୁଚକାଳି ଖେଳକୁ ନେଇ ସଠିକ୍ ଭାବେ ପାଣି ମିଳୁନି । ତୁରନ୍ତ ଏଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ନଚେତ୍ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି।