ପୁରୀ : ଆଜି ଶ୍ରାବଣ-କୃଷ୍ଣ ଅମାବାସ୍ୟା ତିଥି । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଦିନ୨.୦୦ ଟା ଠାରୁ ସନ୍ଧ୍ୟା .୬.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଏକ ଗୁପ୍ତ ନିତି ହୋଇଥିବାରୁ ଏହି ନୀତି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥାଏ ।
ଆଜି ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଆଜି ଲାଗି ହେବ ବ୍ରହ୍ମଜ୍ୟୋତି ହୀରା ଚିତା । ପତିମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ବାଡର ବାଡ଼ଗ୍ରାହୀ ଓ ଅନ୍ୟାନ୍ୟ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କୁ ଏହି ଅଳଙ୍କାର ଲାଗି କରିବେ । ଶ୍ରୀଜଗନ୍ନାଥଙ୍କୁ ସୁଭ୍ର ହୀରା ଖଚିତ ରଚିତା, ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନା ହୀରା ଖଚିତ ରତ୍ନ ଚିତା ଲାଗି କରାଯାଏ । ଚିତାଲାଗି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ସ୍ନାନପୂର୍ଣ୍ଣମୀ ଦିନ ମହାପ୍ରଭୁ ଅତ୍ୟଧିକ ସ୍ନାନ କରି ଜ୍ୱର ରୋଗରେ ପୀଡିତ ହୋଇ ଅଣସର ଘରେ ଥିଲେ । ସେହି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଏହି ଚିତା ଗୁଡିକୁ କାଢି ନିଆ ଯାଇଥିଲା । ରଥଯାତ୍ରା ଦିନ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା । ଆଜି ସେହି ସୋଲ ଚିତାକୁ କଢ଼ାଯାଇ ଅସଲ ଚିତା ଲାଗି କରାଯିବ । ତେବେ ଆଜି ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀଦେବୀ ଓ ଭୂଦେବୀ ରତ୍ନ ସିଂହାସନରୁ ଆସି ଖଟ ସେଜରେ ବିଜେ କରିବେ । ତିନିବାଡ଼ର ବାଡ଼ଗ୍ରାହୀ ଓ ଦଇତାପତି ଏହି ଅଳଙ୍କାର ଶ୍ରୀଅଙ୍ଗରେ ଲାଗି କରିବେ । ଭୋଗମଣ୍ଡପ ନୀତି ପରେ ଏହି ବିଶେଷ ନୀତି ସମ୍ପନ୍ନ ହେବ । ପୁଷ୍ପାଳକ ସେବାୟତ ତିନିବାଡ଼ରେ ମଇଲମ କରିବେ । ଶ୍ରୀଦେବୀ ଓ ଭୂଦେବୀଙ୍କୁ ପୁଷ୍ପାଳକ ସେବକମାନେ ରତ୍ନ ସିଂହାସନରୁ ହାତରେ ବିଜେ କରାଇ ଆଣି ଖଟ ଶେଜରେ ବିଜେ କରିବେ । ସୁଦ୍ଧସୁଆରମାନେ ନୃସିଂହାସନ ତଳେ ସ୍ୱର୍ଣ୍ଣ ଓଷ ପ୍ରସ୍ତୁତ କରିବେ । ବାଡ଼ଗ୍ରାହୀମାନେ ଶୁଦ୍ଧସୁଆର ଦେଇଥିବା ଓଷ ଚିତାରେ ଲାଗି କରାଇବେ । ପାଟରା ଦେଇଥିବା ପାଟଡୋର ଫିତାରେ ବାନ୍ଧି ଶ୍ରୀମସ୍ତକରେ ଚିତା ଲାଗି ହେବ ।