ଆଦର୍ଶ ବିଦ୍ୟାଳୟ ପାଚିକା ମାନଙ୍କ ବେତନ ବୃଦ୍ଧି ଦାବି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଚିକାମାନଙ୍କ ବେତନ ବୃଦ୍ଧି ସମ୍ବନ୍ଧରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଁ ଭଣ୍ଡାର ଘରଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଚିକା ସଂଘ ପକ୍ଷରୁ ଏହି ସଭାରେ ସଂଘର ଅଧ୍ୟକ୍ଷା ଗୁରୁବାରି ପୂଜାରୀ ସଭାପତିତ୍ୱ କରିଥିଲେ । ସଂଘର ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର ଓ ଉପଦେଷ୍ଟା ପ୍ରଭଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ । ପାଚିକାମାନଙ୍କୁ ମାସିକ ମାତ୍ର ୧୪୦୦/- ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉଥିବା ଯୋଗୁଁ ଏହାର ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଓ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପାଧ୍ୟକ୍ଷାଙ୍କୁ ଗତ ୧୩ ଜୁନ୍‌ ୨୦୨୩ ରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଆଜି ସୁଦ୍ଧା ଏସମ୍ପର୍କରେ କୌଣସି ପଦକ୍ଷେପ ସରକାରଙ୍କ ତରଫରୁ ନିଆଯାଇନାହିଁ । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରି ଏସମ୍ପର୍କରେ ଅନୁରୋଧ କରିଥିଲେ ଆଇନ ପରାମର୍ଶଦାତା ଶ୍ରୀ ପାତ୍ର । ସେ ନବରଙ୍ଗପୁରରେ ଉପସ୍ଥିତ ନଥିବା ଯୋଗୁଁ ୧୮ ତାରିଖ ପରେ ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ’ ଆଦର୍ଶ ବିଦ୍ୟାଳୟ ହୋଷ୍ଟେଲର ମୁଖ୍ୟ ପାଚିକାଙ୍କୁ ମାସିକ ୯୦୦୦/- ଓ ସହାୟିକା ପାଚିକାଙ୍କୁ ୬୦୦୦/- ମିଳୁଥିଲେ ମଧ୍ୟ ବିଦ୍ୟାଳୟର ଅନ୍ୟ ପାଚିକାମାନଙ୍କୁ ମାସିକ ମାତ୍ର ଚଉଦ ଶହ ଟଙ୍କା ମିଳୁଛି । ସେମାନେ ନିଜ ପରିବାର ଛାଡ଼ି ପ୍ରତିଦିନ ବିଦ୍ୟାଳୟରେ ୨୫୦ରୁ ଅଧିକ ଛାତ୍ରଛାତ୍ରୀମାନଙ୍କ ପାଇଁ ରୋଷେଇ କରିବା ସହ ବଗିଚାରେ ପାଣି ଦେବା ଭଳି ଅନ୍ୟାନ୍ୟ କାମରେ ପ୍ରାୟ ସାତରୁ ଆଠ ଘଣ୍ଟା ପରିଶ୍ରମ କରୁଛନ୍ତି । ନାମକୁ ମାତ୍ର ମିଳୁଥିବା ଏହି ପାରିଶ୍ରମିକ ମଧ୍ୟ ପ୍ରତିମାସରେ ନିୟମିତ ଦିଆନଯାଇ ତିନି ଚାରି ମାସରେ ଥରେ ଦିଆଯାଉଛି । ଯଦି ସରକାର ଏହି ନ୍ୟାର୍ଯ୍ୟ ଦାବି ନ’ଶୁଣନ୍ତି, ତାହେଲେ ସଂଘ ତରଫରୁ ଓଡ଼ିଶାର ମାନ୍ୟବର ହାଇକୋର୍ଟର ଆଶ୍ରୟ ନେବାକୁ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସଂଘର ଉପାଧ୍ୟକ୍ଷା ତିଳୋତ୍ତମା ପୂଜାରୀ, ସମ୍ପାଦିକା ସଞ୍ଜୁଲତା ନାୟକ, ସହ ସମ୍ପାଦିକା ପଦ୍ମିନୀ ଜାନୀ, କୋଷାଧ୍ୟକ୍ଷା ଲିଲି ସାହୁ ଓ ଅନ୍ୟ ସମସ୍ତ ପାଚିକା ମାନେ ଉପସ୍ଥିତ ଥିଲେ ।

Comments (0)
Add Comment