ସମ୍ବଲପୁର: ଏଠାରେ ପ୍ରଥମ ଥର ପାଇଁ ସୌନ୍ଦର୍ଯ୍ୟ ଅର୍ଥାତ୍ ମେକ ଅପ ଆର୍ଟିଷ୍ଟ କର୍ମଶାଳା ଆୟୋଜିତ ହୋଇଯାଇଛି । ମହିଳାମାନେ ନିଜେ କିପରି ନିଜ ଗୋଡ଼ରେ ଠିଆହୋଇ ଆତ୍ମନିର୍ଭରଶୀଳ ହୋଇ ପାରିବେ, ଏହାକୁ ଦୃଷ୍ଟିରେ ରଖି ଏହି ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଏହାର ଆୟୋଜନ କରାଯାଇଥିଲା । ଏହି ସୌନ୍ଦର୍ଯ୍ୟ କର୍ମଶାଳାକୁ ସମ୍ବଲପୁର ବିଉଟି ଏସୋସିଏସନ ପକ୍ଷରୁ ସବୁ ପ୍ରକାରେ ସାହାଯ୍ୟ ଓ ସମର୍ଥନ ଯୋଗାଇ ଦିଆଯାଇଥିଲା । ଏଥିରେ ସମ୍ବଲପୁରର ଅନେକ ବିଉଟିସିଏନ ଓ ମେକ ଅପ ଆର୍ଟିଷ୍ଟ ସକ୍ରିୟ ଭାବେ ସାମିଲ ହୋଇ କିଭଳି ଏହି ବ୍ୟବସାୟକୁ ନେଇ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିଲାଗି ଚିନ୍ତା କରୁଛନ୍ତି । ବିଉଟି ଓ ମେକଅପ ଆର୍ଟିଷ୍ଟ ବିଶେଷଜ୍ଞ ଭାବରେ ରାଜ୍ୟ ବାହାରୁ ରାୟପୁର ଓ ବିଲାସପୁରରୁ ଆସି ଏହି ଅବସରରେ ବିଉଟିସିଏନ ଓ ମେକଅପ ଆର୍ଟିଷ୍ଟ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହା ସହିତ କିଭଳି ଭାବରେ ମେକଅପ ଓ ନେଲ ପେଣ୍ଟିଂ ବଳରେ ଆତ୍ମନିର୍ଭରଶୀଳ ହେବା ସହ ଦୁଇ ପଇସା ରୋଜଗାର କରିପାରିବେ ସେ ଦିଗରେ ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଯୁବତୀ ଏବଂ ମହିଳା ମାନେ ଚାକିରୀ ପଛରେ ନ ଗୋଡ଼ାଇ ନିଜେ ନିଜ ଗୋଡ଼ରେ ଠିଆ ହେବା ପାଇଁ ଏହା ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି କୁହାଯାଇଛି । ଏହି କର୍ମଶାଳା ଫଳରେ ସ୍ଥାନୀୟ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ କିଛି ଉପାର୍ଜନ କରି ପାରିବେ ବୋଲି କୁହାଯାଇଛି । ଏହାକୁ ସମ୍ବଲପୁର ବିଉଟି ଏସୋସିଏସନ ସହ ଅନୁବନ୍ଧିତ ବିଉଟି ପାର୍ଲର ଓ ଅନ୍ନପୂର୍ଣ୍ଣା ଟ୍ରେଡ଼ର୍ସ ପରିଚାଳନା କରିଥିଲେ ।