ବିଦ୍ୟୁତ ବିଭ୍ରାଟ ବିରୁଦ୍ଧରେ ଟାଟା ପାୱାରକୁ ସ୍ମାରକପତ୍ର

ସମ୍ବଲପୁର: ବାରମ୍ବାର ଆପତ୍ତି ଅଭିଯୋଗ ସତ୍ତେ୍ୱ୍ୱ ଲୋକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ମିଳିପାରୁ ନାହିଁ ଓ ଏହି ସମସ୍ୟା ମହାନଗର ଠାରୁ ପୁରପଲ୍ଲୀ ସବୁଆଡେ ବ୍ୟାପ୍ତ । ସ୍ଥାନୀୟ ରେଙ୍ଗାଲିଠାରେ ଏହି ସମସ୍ୟା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି ରେଙ୍ଗାଲି ସଚେତନ ନାଗରିକ ସମିତି ଓ ଏବିଷୟରେ ଟିପିଡବ୍ଲୁଓଡିଏଲ କାର୍ଯ୍ୟାଳୟକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ସେମାନଙ୍କ ଅଭିଯୋଗ ଅନୁସାରେ ବେଆଇନ ଓ ଅଘୋଷିତ ବିଦ୍ୟୁତକାଟକୁ ନେଇ ସେମାନେ କ୍ଷୁବ୍ଧ ଓ ଅତିଷ୍ଠ । ଏହାଛଡା ଲୋ ଭୋଲ୍ଟ ଓ ମନ ଇଚ୍ଛା ବିଦ୍ୟୁତ ସଂଯୋଗ ବିଚ୍ଛେଦ ତାଙ୍କ ପାଇଁ ନିତିଦିନିଆ ସମସ୍ୟା ହୋଇଯାଇଛି । ବିଦ୍ୟୁତ ବିତରଣ କମ୍ପାନୀ ଏପରି ଉଦଣ୍ଡ ହୋଇ କାମ କରୁଛି ଯେ ଏବେ ଏଠାରେ ସବୁଆଡେ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ଲୋକେ ଉତ୍ସବ ମୁଖରିତ ଥିବାବେଳେ ବିଦ୍ୟୁତ ବିଭ୍ରାଟକୁ ନେଇ ନିରାଶ ଓ ଦୁଃଖୀ ହୋଇ ପଡିଛନ୍ତି । ଏ ବିଷୟରେ ପ୍ରଶାସନ ମଧ୍ୟ ଜନସାଧାରଣଙ୍କ କୌଣସି ସାହାଯ୍ୟ କରି ପାରୁନାହିଁ, ଏଣୁ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ ।

Comments (0)
Add Comment