ଦାରିଙ୍ଗବାଡ଼ି ବ୍ଲକରେ ବିଶ୍ୱପରିବେଶ ଦିବସ ପାଳନ,ସମୂହ ଚାରା ରୋପଣ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳର ବିଭିନ୍ନ ସ୍ଥାନରେ ବିଶ ୍ୱପରିବେଶ ଦିବସ ପାଳିତ ହୋଇଯାଇଛି । ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ତତ୍ତ୍ୱବାଧାନରେ ଦାରିଙ୍ଗବାଡ଼ି ସାରିଙ୍ଗିଇର୍ପି ଠାରେ ଥିବା ବନବିଭାଗ କଟେଜଠାରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅତିଥି ଭାବେ ଦାରିଙ୍ଗବାଡ଼ି ରାଜସ୍ୱ ନିରୀକ୍ଷକ କେଦାର ପ୍ରସାଦ ସାହୁ, ଗ୍ରୀନବାଡ଼ି ରାଜସ୍ୱ ନିରୀକ୍ଷକ ଦୁର୍ଗା ପ୍ରସାଦ ପ୍ରଧାନ ସାରିଙ୍ଗିଇର୍ପି ବନ ସଂରକ୍ଷଣ ସମିତି ସଭାପତି ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ନିଜେ ନିଜେ ଗାତ ଖୋଳି ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ । ୧୯୭୩ ମସିହା ଜୁନମାସ ୫ତାରିଖ ଠାରୁ ପ୍ରତିବର୍ଷ ଏହି ଦିନ ନିରବିଚ୍ଛିନ୍ନ ଭାବେ ବିଶ୍ୱ ପରିବେଶ ଦିବସ ରୂପେ ପାଳିତ ହୋଇଆସୁଛି । ବିଶ୍ୱବାସୀ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ,ଏହି ସମ୍ପଦକୁ ରକ୍ଷାକରିବା ଆମର ଦାୟିତ୍ୱ,ବ୍ୟାପକ ବୃକ୍ଷରୋପଣ ସହିତ ପରିବେଶ ଭିତ୍ତିକ କାର୍ଯ୍ୟକ୍ରମ କରିବା ଦରକାର, ସଭ୍ୟ ସମାଜର ଶିକ୍ଷିତବ୍ୟକ୍ତି ମାନେ ପ୍ରକୃତିକୁ ହିଁ ଧ୍ୱଂସ କରୁଛନ୍ତି,ନିଜର ସୁଖପାଇଁ ସବୁଜ ଜଙ୍ଗଲ ପରିବର୍ତ୍ତେ କଙ୍କ୍ରିଟ ସହର ଗଢୁଛନ୍ତି,ଧିରେ ଧିରେ ଜଙ୍ଗଲ ଧ୍ୱଂସ ହୋଇ ଜଳବାୟୁ ଦୂଷିତ ହୋଇ ପରିବେଶ ନଷ୍ଟ ହେଉଛି ।

ଜନସଂଖ୍ୟା ବୃଦ୍ଧି ସହିତ ଯାନ୍ତ୍ରିକ ଯାନବାହନ ସଂଖ୍ୟା ବଢିବାରେ ଲାଗିଛି । ଏହା ଦ୍ୱାରା ଜଙ୍ଗଲ ହ୍ରାସ ହେବାରେ ଲାଗିଛି, ଆଜିର ସମୟରେ ସମସ୍ତେ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ । ଏହି ସମୟରେ କଟେଜରେ ରହିଥିବା ପର୍ଯ୍ୟଟକମାନେ ମଧ୍ୟ ଚାରା ରୋପଣ କରି ପିଲାଟିଏକୁ ଗଛଟିଏ ବୃକ୍ଷହିଁ ଜୀବନ, ଜଙ୍ଗଲ ଓ ପରିବେଶ ସୁରକ୍ଷା ଜୀବନ ରକ୍ଷା ବୋଲି ମତ ପ୍ରକାଶ କରିଥିଲେ । ବନାଞ୍ଚଳ ଅଧିକାରୀଙ୍କ ତତ୍ତ୍ୱବାଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିମନବାଡ଼ି ବନପାଳ ରବି ମୋହନ ନାୟକ, ବନରକ୍ଷୀ ସ୍ୱପ୍ନା ପାତ୍ର, ଦାରିଙ୍ଗବାଡ଼ି ବନପାଳ ପ୍ରଶ୍ନ ପାତ୍ର, ବନରକ୍ଷୀ ବିଜୟା ନନ୍ଦ ସେଠୀ ଏବଂ ବିଭାଗୀୟ ସମସ୍ତ କର୍ମଚାରୀ ଓ ବନ ସଂରକ୍ଷଣ ସମିତିର କର୍ମଚାରୀ ଉପସ୍ଥିତ ରହିଥିଲେ । ସେହିପରି ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ଝିଞ୍ଜିରିଗୁଡ଼ା ପଞ୍ଚାୟତର ଉଲିପଦର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଗଦାପୁର ବନପାଳ ଅଞ୍ଜନ ନାୟକ,କାଟିଙ୍ଗିଆ ବନପାଳ ମନରଞ୍ଜନ ପରିଛା ଓ ବ୍ରାହ୍ମଣୀଗାଁ ଅତିରିକ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଚାରରୋପଣ କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ, ଫାୟାର ସ୍କୁୱାର୍ଡ, ଓ ବ୍ରାହ୍ମଣୀଗାଁ ବନ ସଂରକ୍ଷଣ ସମିତିର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ବିଭିନ୍ନ କିସମର ବୃକ୍ଷ ଚାରାରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ସହଯୋଗ କରିଥିଲେ ।

Comments (0)
Add Comment