ଲୋକଙ୍କୁ କ୍ଷୁଦ୍ର ଶସ୍ୟ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ହେଉଛି ମିଲେଟ ମିଶନର ଲକ୍ଷ୍ୟ

ନୂଆପଡ଼ା ୨୮/୦୯(ହୀ.ପ୍ର) ଖାଦ୍ୟ ସୁରକ୍ଷା ଯୋଜନାରେ ଏବେ ଏକ ପ୍ରଚଳିତ ଶବ୍ଦ ହେଉଛି ମିଲେଟ ମିଶନ। ମିଲେଟ୍ ମିଶନର ଲକ୍ଷ୍ୟ ହେଉଛି ଲୋକଙ୍କୁ କ୍ଷୁଦ୍ର ଶସ୍ୟ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଯୋଗାଇବା । ଏଥିପାଇଁ ଚାଷୀ ମାନଙ୍କୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରା ଯାଉଛି । ବିଶେଷ କରି ମାଣ୍ଡିଆ ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବାକୁ ଲାଗିଛି । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଏବେ ଶତାଧିକ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଛି । ଜିଲ୍ଲା କୃଷି ବିଭାଗ ତଥା ପିଡି ଆତ୍ମା ସହଯୋଗରେ ଚାଷୀ ମାନେ ଏହି ଚାଷ କରୁଥିବା ବେଳେ ସହଭାଗୀ ବିକାଶ ଅଭିଯାନ ଓ ଉଦନ୍ତି କୃଷକ ଉତ୍ପାଦନ କମ୍ପାନୀ ସିନାପାଲି କାର୍ଯ୍ୟକାରୀ ଅନୁଷ୍ଠାନ ଭାବରେ କାର୍ଯ୍ୟ କରୁଛି। ବ୍ଲକର ୧୧୦ ଟି ଗ୍ରାମରେ ମାଣ୍ଡିଆ ଚାଷ ହେଉଛି। ଚାଷୀ ମାନଙ୍କୁ ଉନ୍ନତ ମାନର କିସମ ଦସରା, ଅର୍ଜୁନ ବିହନ ଯୋଗାଣ ସହ ପ୍ରଥମ ବର୍ଷ ପଚିଶ ହଜାର ଟଙ୍କା ପର୍ଯ୍ୟନ୍ତ ସହଯୋଗ କରାଯାଉଛି । ସାଇକେଲ ୱିଡର୍, ମାର୍କର, ସ୍ପ୍ରେୟର ମଧ୍ୟ ଚାଷୀଙ୍କୁ ଯୋଗାଇ ଦିଆ ଯାଉଛି । ଜୈବିକ ଖତର ବ୍ୟବହାର ପାଇଁ ତାଲିମ ଦିଆଯିବା ସହ ହାଣ୍ଡି ଖତ, ଜିବାମୃତ, ବିଯାମୃତ, ନିମାସ୍ତ୍ରା ଆଦି ଯୋଗାଇ ଦିଆ ଯାଉଛି । ମାଣ୍ଡିଆ ବିକ୍ରି ପାଇଁ ବ୍ଲକରେ ଚାରିଟି ମଣ୍ଡିର ବ୍ୟବସ୍ଥା କରାଯାଇଛି, ଯହିଁରେ ସହଜରେ ଓ ଠିକ୍ ଦାମରେ ଚାଷୀ ମାଣ୍ଡିଆ ବିକ୍ରି କରି ପାରୁଛି ।

ଦିନେ କ୍ଷୁଦ୍ର ଶସ୍ୟ ମାଣ୍ଡିଆ, ଗୁରୁଜି, ଝାରି, କଦୋ ଆଦି ଲୋକଙ୍କ ଜୀବନ ଧାରଣର ମାଧ୍ୟମ ଥିଲା। କମ୍ ବର୍ଷା ଯୋଗୁଁ ଅନେକ ସମୟରେ ମରୁଡି ହେଉଥିବାରୁ ଧାନ ଚାଷ ପ୍ରଭାବିତ ହେଉଥିଲା ଓ ଏସବୁ ଶସ୍ୟ ଲୋକଙ୍କୁ ଆହାର ଯୋଗାଉଥିଲା । କିଛି ବର୍ଷ ପୂର୍ବେ ଚାଷୀ ମାନେ କମ୍ ଉତ୍ପାଦନ ଓ ଅଭାବୀ ବିକ୍ରି ପାଇଁ କ୍ଷୁଦ୍ର ଶସ୍ୟ ଚାଷ ପ୍ରତି ମୁହଁ ଫେରାଇ ନେଇଥିଲେ। ଏହାର ଉପାଦେୟତା ଓ ପୁଷ୍ଟିକୁ ଦୃଷ୍ଟିରେ ରଖି ୨୦୧୭ ମସିହାରେ ଓଡ଼ିଶା ସରକାର ମିଲେଟ ମିଶନ ଆରମ୍ଭ କରିଥିଲେ। ରାଜ୍ୟର ପ୍ରତ୍ୟେକ ଘରେ ମାଣ୍ଡିଆ ପହଞ୍ଚାଇବା ଓ ଏହାରି ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିବା ଏହାର ଲକ୍ଷ୍ୟ ଥିଲା। ଏବେ ଏହା ଏକ ବିପ୍ଳବରେ ପରିଣତ ହୋଇଛି । କମ୍ ବର୍ଷାରେ ଏହି ଚାଷ ହେଉଥିବାରୁ ଚାଷୀ ମାନେ ସରକାରୀ ପ୍ରୋତ୍ସାହନ ପାଇ ଚାଷ କରୁଛନ୍ତି।ସରକାର ପି ଡି ଏସ ରେ ମଧ୍ୟ ମାଣ୍ଡିଆ ପ୍ରଦାନ କରୁଛନ୍ତି । ବିଭିନ୍ନ ମେଳାରେ ଏସ ଏଚ ଜି ମହିଳା ମିଲେଟରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରି ବିକ୍ରି କରୁଛନ୍ତି ଯାହାକି ଲୋକଙ୍କ ବେଶୀ ପସନ୍ଦ ଆସୁଛି । ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ମାଣ୍ଡିଆ ଗୁଣ୍ଡ ଯୋଗାଇ ଦିଆ ଯାଉଛି। ଆଗାମୀ ଦିନରେ ମାଣ୍ଡିଆ ଚାଷକୁ ବ୍ୟାପକ କରାଯିବ ବୋଲି କୃଷି ବିଭାଗ କହିଛି ।

Comments (0)
Add Comment