ନୂଆଦିଲ୍ଲୀ: ମଣିପୁର ଚୁରାଚାନ୍ଦପୁରରେ ଏନ୍କାଉଣ୍ଟର । ସୁରକ୍ଷା ବାହିନୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ। ସେମାନେ ସମସ୍ତେ ନିଷିଦ୍ଧ ମଣିପୁର ସଂଗଠନ, ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି ବା ୟୁକେଏନଏ ସହିତ ଜଡିତ ଥିବା ଜଣାପଡିଛି ।
ଖାନପି ଗାଁ ନିକଟରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇଥିଲା । ସକାଳ ୫ଟା ୩୦ରେ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ଏନକାଉଣ୍ଟର ସମୟରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।ଫଳରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମଣିପୁରରେ ଶାନ୍ତି ପ୍ରତିଷ୍ଠା ପ୍ରୟାସର ଅଂଶ ସ୍ୱରୂପ, ଅନେକ କୁକି ଏବଂ ଜୋମି ଆତଙ୍କବାଦୀ ଗୋଷ୍ଠୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷର କରିଥିଲେ, କିନ୍ତୁ UKNAର ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିଲା। ଅପରେସନ୍ ବିଷୟରେ ସୂଚନା ଦେଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଗୁଳିବିନିମୟ ସମୟରେ ଅନେକ ଆତଙ୍କବାଦୀ ଆହତ ହୋଇଥିଲେ ଏବଂ ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତଥାପି ଗୁଳିବିନିମୟ ସମୟରେ ଅନେକ ଆତଙ୍କବାଦୀ ଖସି ପଳାଇବାରେ ମଧ୍ୟ ସଫଳ ହୋଇଥିଲେ।ଏନକାଉଣ୍ଟର ପରେ, ସେନା ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରି ଏକ ବିବୃତ୍ତି ଜାରି କରିଛି। ଘଟଣାସ୍ଥଳରୁ ପଳାଇଯାଇଥିବା ଆତଙ୍କବାଦୀମାନଙ୍କୁ ଖୋଜିବା ପାଇଁ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୁରକ୍ଷା ବାହିନୀ ସମସ୍ତ ଆତଙ୍କବାଦୀଙ୍କୁ ଯଥାଶୀଘ୍ର ଠାବ କରିବା ପାଇଁ କାର୍ଯ୍ୟ କରୁଛନ୍ତି।