ଆଠଗଡ଼: କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ହୋଇଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର। ଭୋରରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ଆଜି ବଡ଼ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାଦେବ।ଏହି ପବିତ୍ର ଅବସରରେ ଅନେକ ଶ୍ରଦ୍ଧାଳୁ ଓ ବ୍ରତଧାରୀ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି।
ସୂଚନା ଅନୁଯାୟୀ, ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ମନ୍ଦିରର ପହଡ଼ ଖୋଲାଯାଇଥିଲା। ଏହାପରେ ବାବାଙ୍କୁ ୧୦୮ ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ପରେ ମଙ୍ଗଳ ଆଳତି, ମାଇଲମ୍, ବାଳଭୋଗ ସମେତ ସମସ୍ତ ନୀତିକାନ୍ତି ଯଥାବିଧି ସମ୍ପନ୍ନ ହୋଇଥିଲା । କାର୍ତ୍ତିକ ମାସର ଏହି ପବିତ୍ର ସୋମବାରରେ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ବାବାଙ୍କ ମନୋରମ ବଡ଼ସିଂହାର ବେଶ ଦର୍ଶନ କରି ଭକ୍ତି ଓ ଆଧ୍ୟାତ୍ମିକ ଭାବନାରେ ଭାବବିହ୍ୱଳ ହୋଇପଡ଼ିଛନ୍ତି ଭକ୍ତମାନେ।
ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ମନ୍ଦିରର ନୀତିକାନ୍ତି ସୁଚାରୁରୂପେ ସମ୍ପାଦନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । କାର୍ତ୍ତିକ ସୋମବାରରେ ବାବା ଧବଳେଶ୍ୱରଙ୍କ ଦର୍ଶନ କରି ଧନ୍ୟ ହେଉଛନ୍ତି ଶ୍ରଦ୍ଧାଳୁ ।