ବାଲିଗୁଡା: ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁଶୁଡ଼ିଲା ସ୍କୁଲ୍ ଘର । ଅଳ୍ପକେ ବର୍ତ୍ତିଲେ ପଚାଶରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମପଞ୍ଚାୟତର କିଲୁପଡ଼ାରେ । ସୂଚନା ପ୍ରକାରେ ଗତକାଲି ସକାଳ ପ୍ରାୟ ଦଶଟା ବେଳେ ଛାତ୍ରଛାତ୍ରୀ ସ୍କୁଲକୁ ଯାଇ ଫାଟକ ନିକଟରେ ଶିକ୍ଷକଙ୍କୁ ଅପେକ୍ଷା କରିଥିଲେ । ପ୍ରାଥମିକ ଶିକ୍ଷକ ସଂଘର ତିନି ଦଫା ନେଇ ଆନ୍ଦୋଳନ ଚାଲିଥିବାରୁ ଶିକ୍ଷକମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଯୋଗୁଁ ସ୍କୁଲ ଆସିନଥିଲେ । ଏହି ସମୟରେ ସ୍କୁଲ୍ ର ଶ୍ରେଣୀ ଗୃହ ହଠାତ୍ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଫଳରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ । ସ୍କୁଲ୍ର ଶ୍ରେଣୀ ଗୃହଟି ପରିତ୍ୟକ୍ତ ଅବସ୍ଥାରେ ରହିଥିଲା । ବିପଦ ସଙ୍କୁଳ ଅବସ୍ଥାରେ ସ୍କୁଲ୍ ରେ ପାଠ ପଢ଼ା ଚାଲୁ ରହିଥିଲା । ଏନେଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ସମେତ ଗ୍ରାମବାସୀ ସରପଞ୍ଚ,ବିଇଓ,ବିଡିଓ ଏବଂ ବାଲିଗୁଡ଼ା ବିଧାୟକଙ୍କୁ ଅବଗତ କରିଥିଲେ ମଧ୍ୟ କେହି ଏଥିପ୍ରତି ଗୁରୁତ୍ୱ ଦେଇନଥିବା ଅଭିଯୋଗ ହେଉଛି । ସେପଟେ ବିଦ୍ୟାଳୟକୁ ଶିକ୍ଷକ ଶିକ୍ଷୟିତ୍ରୀ ଆସିନଥିବା ବେଳେ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରେ ଥିବା ବେଳେ ଏଭଳି ଘଟଣା ଘଟିଛି ଏବଂ ସୌଭାଗ୍ୟ ବଶତଃ ୫୦ରୁ ଉର୍ଦ୍ଧ୍ୱ ଶିଶୁ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ।