ରୀତିନୀତି ଅନୁଯାଇ ଗ୍ରାମ ଇଷ୍ଟଦେବୀଙ୍କ ପୂଜା ପାଳିତ

ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତର ଆଡେଣିଗଡ଼ ଠାରେ ମହାସମାରୋହରେ ଗ୍ରାମର ଇଷ୍ଟ ଦେବୀଙ୍କ ପୂଜା ପାଳିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି ପୂଜାର ପ୍ରଥମ ଦିନ ବାର, ଦିତ୍ୱୀୟ ଦିନ ପୂଜା, ତୃତୀୟ ଦିନ ତୁର୍କୀପେନୁ ନାମରେ ନାମିତ । ବର୍ଷକୁ ଥରେ ଜ୍ୟୋଷ୍ଠ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ମଙ୍ଗଳବାର ଦିନ ଏହା ଅନୁଷ୍ଠିତ ହୋଇଥାଏ । କାହିଁ କେଉଁ ଆବାହନ କାଳରୁ ଏହି ପୂଜା ହୋଇଆସିଛି । ଗ୍ରାମର ମଙ୍ଗଳ ପାଇଁ ସାଧାରଣତଃ ଏହି ପୂଜା କରାଯଇଥାଏ ବୋଲି ଗ୍ରାମବାସୀ ମତ ରଖିଛନ୍ତି । ଏହି ତିନିଦିନ ସମସ୍ତେ ସ୍ୱଚ୍ଛମନରେ ଉପବାସ ରହି ଏହି ପୂଜା କରିଥାନ୍ତି । ଗ୍ରାମର ଇଷ୍ଟଦେବୀ ମାଁ ବରାଳଦେବୀ, ମାଟି ମା, ତୁର୍କୀପେନୁଙ୍କୁ ପୂଜା କରାଯାଇଥାଏ । ଇଷ୍ଟ ଦେବୀ, ମାଟି ମାଁ ଙ୍କୁ ପୂଜା କଲେ ବର୍ଷ ସାରା ଗାଁ ରେ ଚାଷକାମ ଭଲ ହେବା ସହିତ ସମସ୍ତ ଗ୍ରାମବାସୀ ଭଲରେ ସୁଖ ଶାନ୍ତିରେ ରହିଥାନ୍ତି ବୋଲି ଗ୍ରାମବାସୀ ବିଶ୍ୱାସ ରଖିଛନ୍ତି । ଗ୍ରାମ ଦେବୀଙ୍କ ନିକଟରେ ଝୁଣା, ଧୂପ, ଉଖୁଡା, ଭୋଗ ସହିତ କୁକୁଡ଼ା, ଓ ପଶୁ ବଳି ମଧ୍ୟ ଦିଆଯାଇଥାଏ ।ଏହି ତିନି ଦିନ ଧରି ଗାଁ ରୁ କୁଆଡେ ନ ଯିବା ଓ ବାହାରୁ ଗାଁ କୁ କେହି ନ ଆସିବା ଗୋଟେ ମୁଖ୍ୟ ପରମ୍ପରା ରହିଛି । ମୁଖ୍ୟ ପୂଜକ ବା ଦେହେରୀ ଭାବେ ମାନସ ପାତ୍ର ଓ ବାହୁକ ଭାବେ ପାଣୁଆ ବେହେରା ରହିଥିବା ବେଳେ ଗ୍ରାମ ମୁଖ୍ୟା ଶ୍ରୀପତି ଭୋଇଙ୍କ ସହିତ ମୋହନ ସାହୁ, ବ୍ରହ୍ମ ନନ୍ଦ ବାଘ, ପୁରେନ୍ଦ୍ର ବାଘ, ପତିତ ମଲିକ, ଦେବେନ୍ଦ୍ର ଭୋଇ, ଚିତ୍ତ ସାହୁ, ଦେବରାଜ ସାହୁ, ପୁର୍ଣ ଚନ୍ଦ୍ର ଭୋଇ, ଦ୍ରୋଣ ସାହୁ, ବିରାଜ ବାରିକ, ରମେଶ ସାହୁ, ଦିଲୀପ ସାହୁ, ଅନ୍ତର୍ଯ୍ୟାମୀ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ,ରମେଶ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment