ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଚମ୍ପୁଆ: ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ଠାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କେନ୍ଦୁଝର ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମ ମାଟିରେ ପାଦ ଦେବାସହିତ ଝୁମ୍ପୁରା ବ୍ଲକ ରାଇକଳା ଗ୍ରାମରେ ରୋଡ ସୋ କରିଛନ୍ତି । ଅସ୍ଥାୟୀ ହେଲିପ୍ୟାଡରେ ଝୁମ୍ପୁରା ପହଁଚିବା ପରେ ପ୍ରଥମେ ଦୁର୍ଗା ମନ୍ଦିର ଯାଇ ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ଶ୍ରୀଯୁକ୍ତ ମାଝୀଙ୍କୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଘୋଷବାଦ୍ୟରେ ମୁଖ୍ୟ ରାସ୍ତାରୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭାରେ ଅଭିଭାଷଣ ଛଳରେ ଶ୍ରୀଯୁକ୍ତ ମାଝୀ ତାଙ୍କ ଜନ୍ମ ମାଟିର ଗୁଣଗାନ କରିବା ସହିତ ନିଜ ଶୈଶବ, ଯୌବନ କିପରି ଝୁମ୍ପୁରା ଅଂଚଳରେ କଟିଥିଲା ତା’ର ଇତିହାସକୁ ଅବଲୋକନ କରିଥିଲେ । ୧୯୯୩-୧୯୯୭ ପର୍ଯ୍ୟନ୍ତ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଭାବେ କାର୍ଯ୍ୟ କରିଥିବା ଶ୍ରୀଯୁକ୍ତ ମାଝୀ କେନ୍ଦୁଝର ଏକ ଲଢୁଆ ଜିଲ୍ଲା ଏମାଟି ପବିତ୍ର ମାଟି ଏହି ମାଟିରେ ଧରଣୀଧର ଭୁୟାଁଙ୍କ ଅନ୍ୟାୟ ଅନୀତି ବିରୁଦ୍ଧରେ ଲଢେଇକୁ ଆଜିବି ମନେରଖିଛି । ରାଷ୍ଟ୍ରିୟ ଚିନ୍ତାଧାରା ପ୍ରତ୍ୟେକ ନାଗରିକ ପାଖରେ ରହିବା ଉଚିତ ଅନ୍ୟାୟ ଅତ୍ୟାଚାର ଶିକାର ଓଡିଶା ବାସୀ ପରୀବର୍ତ୍ତନ ଆଶା କରିଥିଲେ ଯାହାର ପ୍ରତିଫଳନରେ ଆଜି ଓଡିଶାରେ ୨୪ ବର୍ଷର ବିଜୁ ଜନତା ଦଳର ସରକାରକୁ ପତନ ଘଟାଇ ଭାରତୀୟ ଜନତା ପାର୍ଟିକୁ ରାଜ୍ୟ ଶାସନର ଭାର ଅର୍ପଣ କରିଥିବା କହିଥିଲେ । ଏପରିକି ଚାଷୀଙ୍କ ଦଲାଲଠାରୁ ମୁକ୍ତ କରି ଧାନର ସହାୟକ ମୂଲ୍ୟ ୩୧ ଶହ ଟଙ୍କା କରାଯିବାର ପ୍ରତିଶ୍ରୁତିକୁ ୧୦୦ ଦିନ ଭିତରେ ପାଳନ କରାଯିବ ବୋଲି କହିଥିଲେ । ମିଶନ ଶକ୍ତି ନାଁରେ ପୂର୍ବ ସରକାରର ବଡପଣ୍ଡା ମାନେ ମହିଳା ମାନଙ୍କୁ ଭୁଆଁ ଭୁଲାଉଥିବା ବେଳେ ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କା ଦେବାର ପ୍ରତିଶୃତି ଖୁବଶୀଘ୍ର ଭାରତୀୟ ଜନତା ପାର୍ଟି ପୂରଣ କରିବ ବୋଲି ସୂଚନା ଦେଇଥିଲେ । ଶ୍ରୀମନ୍ଦିରର ଚାରି ଦୁଆର ଖୋଲିବା ପ୍ରତିଶ୍ରୁତି ପୂରଣ କରାଯାଇଥିବା ବେଳେ ଓଡିଶାର ବିକାଶ ପାଇଁ ସମସ୍ତେ ରାମ ସେତୁ ନିର୍ମାଣର ବାନର ସେନା ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଖଣିର ସମ୍ପଦ ଭରା କେନ୍ଦୁଝରର ବିକାଶ ପାଇଁ ଇଚ୍ଛାଶକ୍ତିର ଅଭାବ ରହିଛି ବୋଲି କହିବା ସହିତ ଖଣିଜ ସମ୍ପଦ ବ୍ୟବହାର ଓ ଜିଲ୍ଲା ଖଣିଜ ପାଣ୍ଠିର ସୁବିନିଯୋଗରେ କେନ୍ଦୁଝର ଜିଲାର ବିକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସାଧାରଣ ଲୋକଙ୍କ ସେବା ପାଇଁ ମୋତେ ଆଶିର୍ବାଦ ମିଳିଛି ତେଣୁ ଆଜି ମୁଁ ଜନ ସାଧାରଣ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ । ଜନସାଧାରଣ ମୋତେ ପ୍ରସ୍ତାବ ଓ ସମସ୍ୟା ବିଷୟରେ ଅବଗତ କଲେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ମା’ ଦୁର୍ଗତି ନାଶିନୀ ଯୁବ ସଂଘ ଝୁମ୍ପୁରା ଦ୍ୱାରା ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ସଂଗଠନ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ପରିଚାଳନା କରିଥିବା ବେଳେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଫକୀରମୋହନ ନାଏକ, ଜିଲା ସଂପାଦକ ଅନୁବ୍ରତ ବେହେରା, ମା’ ଦୁର୍ଗତି ନାଶିନି ଯୁବ ସଂଘ ସଭାପତି ଶଶିଭୁଷଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments (0)
Add Comment