ବଡ଼ଦରଲୀପଡାରେ ଝାଡାବାନ୍ତି; ଦୁଇ ମୃତ, ତିନି ଗୁରୁତର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ପଞ୍ଚାୟତ ବଡ଼ଦରଲୀପଡା ଠାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତ ବ୍ୟକ୍ତି ଦ୍ୱୟ ବଲମତ ମାଝୀ (୨୨) ଓ ପୁରୁନ୍ଦର ମାଝୀ (୭୦) ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଗୁରୁତର ବ୍ୟକ୍ତି ଦ୍ୱୟ ପଣସରାମ ମାଝି(୬୨) ଓ ଲଳିତା ବାଗ(୬୫) ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ଗଣେଶ ମାଝୀ (୪୭) ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ସିନାପାଲି ଗୋଷ୍ଠୀ ଚିକିତ୍ସାଧିକାରୀ ଶ୍ରୀମାନ ସାହୁଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ଏନେଇ ଘଟଣା ସମ୍ପର୍କରେ ଡାକ୍ତର ଶ୍ରୀ ସାହୁଙ୍କୁ ପଚାରିବାରୁ ତିନି ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ଅଛନ୍ତି, ଆଉ ସ୍ଥାନୀୟ ୯୪ ଜଣଙ୍କୁ କଣ୍ଟାକ୍ଟ ଡୋଜ ଦିଆଯାଇଛି ଏବଂ ଗୁରୁତର ମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ମୃତ ବ୍ୟକ୍ତି ଦ୍ୱୟଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ପରିବାର ଲୋକେ ଝାଡ଼ା ବନ୍ତୀରେ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଗାଁରେ ଡାକ୍ତରୀ ଦଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଡାକ୍ତରୀ ଦଳରେ ଡାକ୍ତର ଶ୍ରୀମାନ ସାହୁ, ଭୈରବ ପାଣିଗ୍ରାହୀ, ଅଙ୍ଗଦ ରାମ ମାଝୀ ପ୍ରମୁଖଙ୍କ ସହ ମୋବାଇଲ ହେଲ୍ଥ ୟୁନିଟ, ଆରଆରଟି ଟିମ,ହେଲ୍ଥ ୱାର୍କର, ସୁପରଭାଇଜର, ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ପ୍ରମୁଖ ସାମିଲ ହୋଇଥିଲେ । ଗାଁର ବିଭିନ୍ନ ସ୍ଥାନରେ ବଳିଚିଂ ପକାଇ,ପାଣି ନମୁନା ସଂଗ୍ରହ କରି ପଠାଇବା ସହ ଲୋକଙ୍କୁ ଡ଼ାକବାଜି ମାଧ୍ୟମରେ ସଚେତନ କରାଯାଉଛି । ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ ଲୋକଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି

Comments (0)
Add Comment