ଭୁବନେଶ୍ୱର: ବିଜେଡି ସରକାରର ପଂଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତିକୁ ସପ୍ତାହ ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇଥିବାବେଳେ ଆସନ୍ତାକାଲି ଅର୍ଥାତ ରବିବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ଦିନ ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ରାଜଭବନରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।ମନ୍ତ୍ରିମଣ୍ଡଳରେ ୧୦ରୁ ୧୨ ଜଣ ନୂଆ ମୁହଁ ସାମିଲ ହେବାକୁ ଥିବା ବେଳେ ଅନ୍ୟ ମନ୍ତ୍ରୀ ମାନଙ୍କ ବିଭାଗ ପରିବର୍ତ୍ତନ ହେବ।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ମନ୍ତ୍ରୀଙ୍କୁ ତୁରନ୍ତ ନିଜର ଇସ୍ତଫା ପତ୍ର ପଠାଇବାକୁ ଆଜି ସକାଳେ ନିର୍ଦ୍ଦେଶ ଦିଆଯାଇଥିଲା। ମନ୍ତ୍ରୀମାନେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ସାରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ତାରିଖରୁ ବିଦେଶ ଗସ୍ତରେ ଯାଉଥିବାରୁ ତା’ର ଯଥେଷ୍ଟ ପୂର୍ବରୁ ଏହି ମନ୍ତ୍ରିମଣ୍ଡଳ ଗଠନ ହେବାର ସମ୍ଭାବନା ରହିଛି।
ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡାରୁ ଅତନୁ ସବ୍ୟସାଚୀ ନାୟକ, ମୟୁରଭଞ୍ଜରୁ ବାସନ୍ତୀ ହେମ୍ବ୍ରମ୍, ବାଲେଶ୍ୱରରୁ ଅଶ୍ୱିନୀ ପାତ୍ର, ଗଞ୍ଜାମରୁ ଲତିକା ପ୍ରଧାନ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ, କେନ୍ଦୁଝରରୁ ବଦ୍ରି ନାରାୟଣ ପାତ୍ର ମନ୍ତ୍ରୀ ହେବେବୋଲି ଜଣାପଡ଼ିଛି । ସେହିପରି ବ୍ୟୋମୋକେଶ ରାୟ, ଦେବୀ ପ୍ରସାଦ ମିଶ୍ର, ଦେବୀରଞ୍ଜନ ତ୍ରିପାଠୀଙ୍କ ନାମକୁ ନେଇ ବି ଚର୍ଚ୍ଚା ଜୋରଧରିଛି । ଯାଜପୁରରୁ ପ୍ରମିଳା ମଲ୍ଲିକ ପୁଣି ମନ୍ତ୍ରୀମଣ୍ଡଳକୁ ଫେରିବେ ବୋଲି କୁହାଯାଉଛି ।