ନାହିଁ ଡ୍ରେନେଜ ବ୍ୟବସ୍ଥା, ରାଜରାସ୍ତାରେ ନର୍ଦ୍ଦମା ପାଣି

ଦଶପଲ୍ଲା: ଦଶପଲ୍ଲା ରାଜବାଟି ଠାରୁ ମେଡିକାଲ୍‌ ଛକ ସ୍ଥିତ ମହାବୀର ତୋରଣ ପର୍ଯ୍ୟନ୍ତ ଦଶପଲ୍ଲାର ଏହି ପ୍ରମୁଖ ରାସ୍ତା ଏବେ ନର୍ଦ୍ଦମା ପାଣିରେ ଉବୁଟୁବୁ । ଏହି ରାସ୍ତା ମହାବୀର କ୍ଷତ୍ରର ମୁଖ୍ୟ ରାସ୍ତା ହୋଇଥିଲାବେଳେଏହାର ସୁରକ୍ଷା ପାଇଁ ସତେ ଯେମିତି ବିଭାଗୀୟ ଅଧିକାରୀଙ୍କ ନିଘା ନଥିବା ଭଳି ମନେ ହେଉଛି । ଏହି ପ୍ରାୟ ୧ କିଲୋମିଟର ରାସ୍ତାର ସୌନ୍ଦର୍ଯ୍ୟକରଣ ନିମନ୍ତେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପ୍ରାୟ ୮୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉଭୟ ପାର୍ଶ୍ୱ ରଙ୍ଗୀନ ଇଟାରେ ସନ୍ଦର୍ଯ୍ୟକରଣ କାର୍ଯ୍ୟ ସଂପାଦନ ହୋଇଛି । ମାତ୍ର ରାସ୍ତାକୁ ସଂଲଗ୍ନ ହୋଇଥିବା ଡ୍ରେନର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ି ଥିବାରୁ ସାମାନ୍ୟ ବର୍ଷା ହେଲେ ବର୍ଷାପାଣି ଡ୍ରେନ ପରିବର୍ତ୍ତେ ରାଜପଥ ଉପରେ ପ୍ରବାହିତ ହୋଇଥାଏ । ତେଣୁ ରାସ୍ତାର ସ୍ଥାୟିତ୍ୱ ନେଇ ଅନେକ ସମୟ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ । କୁଞ୍ଜବନଗଡ଼ର ଡ୍ରେନଗୁଡ଼ିକ ଅନେକ ସ୍ଥାନରେ ପୋତିହୋଇ ଯାଇଥିବା ବେଳେ କେତେକ ସ୍ଥାନରେ ରାସ୍ତା ପାର୍ଶ୍ୱ ଡ୍ରେନ ଆଦୌ ନ ଥିବା ଦେଖିବାକୁ ମିଳିଛି । ସହରର ମୌଳିକ ସମସ୍ୟା ମଧ୍ୟରେ ଡ୍ରେନ୍‌ ଏକ ମୁଖ୍ୟ ସମସ୍ୟା ହୋଇଥିଲେହେଁ ଏନ୍‌ଏସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଫଳରେ ଡ୍ରେନ୍‌ ପୂତ୍ତିଗନ୍ଧମୟ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ଅପରପକ୍ଷରେ ଏହି ରାସ୍ତା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ନଂ ୫୭କୁ ସଂଯୋଗକରି ରାଜ୍ୟ ସଡ଼କପଥ ନଂ ୪୮ର ଦଶପଲ୍ଲା– କଣ୍ଟିଲୋ ଭାୟା ବାଘମାରୀକୁ ସଂଯୋଗ କରୁଛି । ଏହି ରାସ୍ତା ଏକ ପ୍ରମୁଖ ସଡ଼କପଥ ହୋଇଥିଲେହେଁ ସହର ମଧ୍ୟରେ ଯାଇଥିବା ଏହି ରାସ୍ତା ଓ ଡ୍ରେନ୍‌ର ସୁରକ୍ଷା କଥା ପୂର୍ତ୍ତ ବିଭାଗ ଭୁଲି ଯାଇଛି । ରାସ୍ତାର ଉଭୟ ପାର୍ଶ୍ୱ ଡ୍ରେନ ନିର୍ମାଣରେ ବିଳମ୍ବ ହେଲେ ବର୍ଷାଦିନେ ରାସ୍ତାଟି ସଂପୂର୍ଣ୍ଣ ଭାବରେ ନଷ୍ଟ ହେବା ସମ୍ଭାବନା ଦେଖାଦେଇଛି । ଏଣୁ ବିଭାଗୀୟ ଅଧିକାରୀ ଏହାର ସମାଧାନ କରିବାକୁ ଏନ୍‌ଏସି ଅଞ୍ଚଳବାସୀ ଦାବି କରିଛନ୍ତି ।

Comments (0)
Add Comment