ସମ୍ବଲପୁର: ସମ୍ବଲପୁରୀ ସଂସ୍କୃତିର ପୁରୋଧା ଗୁରୁ ସତ୍ୟନାରାୟଣ ବହିଦାରଙ୍କର ଜନ୍ମଦିନକୁ ୨୦୧୩ ରୁ ସମ୍ବଲପୁରୀ ଦିନ ଭାବରେ ପାଲନ କରାଯାଉଛି । ଗୁରୁ ବହିଦାର ନିଜ ଜୀବନ କାଳରେ ସମ୍ବଲପୁରୀ ସାଧକ କବି କଳାକାର ମାନଙ୍କୁ ଏକଜୁଟ କରିବା ସହ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସାରା ଜୀବନ ବଳିଦାନ ଦେଇଥିଲେ । ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଜନ୍ମଦିନରେ ସମ୍ବଲପୁରୀ ଦିନ ଭାବରେ ଆୟୋଜନ କରିଆସୁଛି । ମଂଚ ସମ୍ବଲପୁରରେ ପ୍ରତି ବର୍ଷ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନର ଆୟୋଜନ କରିଆସୁଛି । ଦୁଇବର୍ଷ ହେବ କରୋନା ମହାମାରୀ ଯୋଗୁଁ ସମ୍ବଲପୁରୀ ଦିନ ଛୋଟ ଆକାରରେ ଆୟୋଜନ କରାଯାଇ ଥିଲା । ତେବେ ଚଲିତ ବର୍ଷ କରୋନା ମହାମାରୀ ସ୍ଥିତି ସୁଧୁରିବା ପରେ ସମ୍ବଲପୁରୀ ଦିନ ଭବ୍ୟ ଢଂଗରେ ଆୟୋଜନ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଂଚ ଯୋଜନା ଆରମ୍ଭ କରୁଛି । ଗତକାଲି ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ନୁତନ ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ସ୍ୱାଗତ କରି ସମ୍ବଲପୁରୀ ଦିନ ପାଇଁ ଆଲୋଚନା କରାଯାଇଥିବା ବେଳେ ଆଜି ନିଜେ ଜିଲ୍ଲାପାଳ ମହୋଦୟା କଚେରୀ ରୋଡରେ ଥିବା ଗୁରୁ ସତ୍ୟ ନାରାୟଣ ସ୍ମୃତି ଉଦ୍ୟାନକୁ ପହଞ୍ଚି ଥିଲେ । ଉଦ୍ୟାନର ସ୍ଥିତି ବୁଝାଇବା ସହିତ ସମ୍ବଲପୁରୀ ଦିନ ଅବସରରେ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ରହିଥିବା ଯୋଜନା ସମ୍ପର୍କରେ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ଏହା ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ସ୍ମୃତି ଭବନ ନିର୍ମାଣ କାମ ଆରମ୍ଭ ହୋଇପାରୁ ନଥିବା ବିଷୟରେ ମଧ୍ୟ ଅବଗତ କରାଯାଇଥିଲା । ଜିଲ୍ଲାପାଳ ଗୁରୁଙ୍କର ସ୍ମୃତିରକ୍ଷା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାପାଳଙ୍କ ତତ୍ପରତା ପାଇଁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବାହକ ଭବାନୀଶ ଭୋଇ, କାର୍ଯ୍ୟକ୍ରମ ପରାମର୍ଶଦାତା ଡ ପ୍ରମୋଦ ରଥ, ମୁଖ୍ୟ ସଂଯୋଜକ ମାନସ ରଂଜନ ବକ୍ସୀ, ସୁକାନ୍ତ କର, କମଲ ଷଡଙ୍ଗୀ ଓ ଅମଲେନ୍ଦୁ ନାୟକ ଉପସ୍ଥିତ ରହିଥିଲେ ।