ଘରେ ତାଲା ପକାଇ ନିଆଁ ଲଗାଇଦେଲେ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଭଦ୍ରକ : ନିଆଁ ଦାଉରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ । ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ପୂର୍ବ ଶତ୍ରୁତା ଲାଗିରହିଥିବାରୁ ଆକ୍ରୋଶମୂଳକ ଭାବେ ଦୁବୃର୍ତ୍ତ ମାନେ ଏଭଳି କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଗବସାହି ଅଞ୍ଚଳର ସୁଦର୍ଶନ ଦାସ ନିଜ ୬ ଜଣ ପରିବାର ସହ ଘର ଭିତରେ ଶୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ଘର ଗୁଡିକ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । ସୁଦର୍ଶନଙ୍କ ପରିବାର ଲୋକ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଜୀବନ ବିକଳରେ ବାହାରକୁ ଦୌଡ଼ିବାକୁ ଲାଗିଥିଲେ । ଘର କବାଟ ବାହାର ପଟରୁ ତାଲା ଦିଆଯାଇଥିବାରୁ, ଆଉ ବାହାରି ନପାରି ପଛପଟ ଝରକାକୁ ଭାଙ୍ଗି ସମସ୍ତ ପରିବାର ବାହାରକୁ ସୁରକ୍ଷିତ ଅବସ୍ଥାରେ ବାହାରିଥିଲେ । କିନ୍ତୁ ଅଗ୍ନିକାଣ୍ଡରେ ଘରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଆଉ ଆସବାବପତ୍ର ଜଳି ପୋଡି ଛାରଖାର ହୋଇଯାଇଛି । ପୂର୍ବଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସୁଦର୍ଶନଙ୍କ ପରିବାର ଲୋକ । ଏନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Comments (0)
Add Comment