ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବ୍ରହ୍ମଗିରିରେ ଜଳ ନିଷ୍କାସନ ବ୍ୟବସ୍ଥା ସମୀକ୍ଷା

ପୁରୀ- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକରେ ଜଳ ନିଷ୍କାସନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏ ସଂପର୍କରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଶ୍ରୀ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଗୋରୁଆଳ ଚଉଦଶହ ପୁଆଣି କେନାଲ, ନଅମାଣ ବନ୍ଦ କେନାଲ, ଆମ୍ବପଡା ମହଲାପାଟ କେନାଲ, ଏକନାଳିଆ କେନାଲର କାଠୁଆରେଡି ଶଙ୍ଖ, ଏକନାଲିଆରୁ ଲିଙ୍କ୍‌ କାଠୁଆରେଡି, ବକ୍ସି କାଣିଆ, ଦକ୍ଷିଣ କାଣିଆର ନୂତନ ଭାବେ ଉନ୍ନତି କରଣ ଓ ଜଳ ନିଷ୍କାସନ ପକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ୧୪ ମୈାଜାର ନାଣ୍ଡିପୁର ଠାରେ ନିଷ୍କାସନ ନାଳ, ୧୪ ମୈାଜା ଦଶମାଣ ଶଙ୍ଖ, ୧୪ ମୈାଜା ତିଅରପାରୀ କେନାଲ, କୁରୁଣ୍ଟି କେନାଲ କୃଷ୍ଣସରଣପୁର ଜଳ ନିଷ୍କାସନ ପକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହିତ ଗୋବର୍ଦ୍ଧନ ପୁର ବ୍ୟାରେଜ ଏବଂ ଚାଇଗିଣିଆ ସୁଇଜର ନବୀକରଣ କରିବା ପାଇଁ ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଜଳ ସେଚନ ଓ ଜଳ ନିଷ୍କାସନ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟାହ୍ନରେ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଦକ୍ଷିଣ କାଣିଆ, ବକ୍ସି କାଣିଆ ଜଳ ନିଷ୍କାସନ ଏବଂ ଜଳସେଚନ, ଶାଖା କେନାଲର ପୂର୍ଣ୍ଣ ଉଦ୍ଧାର, ଗୋବର୍ଦ୍ଧନ ପୁର ବ୍ୟାରେଜ ନବୀକରଣ, ଚାଇଁଗିଣିଆ ସୁଇଜର ନବୀକରଣ ଧରଣୀକୁଦୀରୁ ବାଘଲାଞ୍ଜି ଡ୍ରେଜିଙ୍ଗ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ଚାଷୀ ମାନଙ୍କ ସମସ୍ୟା ସମାଧାନ ସହ ସେମାନେ କିପରି ଉପକୃତ ହୋଇପାରିବେ ଏ ସଂପର୍କରେ ଶ୍ରୀ ଦାସବର୍ମା ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ।
ଏହି ଅବସରରେ ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ୱର ସାହୁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଦ୍ୟାଧର ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ କୁମାର ଦଳେଇ, ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ, ଉପ ନିର୍ବାହୀ ଯନ୍ତ୍ରୀ ତପନ କୁମାର ମଜୁମଦାର, ପୁରୀ ଜଳସେଚନ ବିଭାଗ ଯନ୍ତ୍ରୀ ଶଡାନନ ପ୍ରଧାନ, ଶୁସାନ୍ତ କୁମାର ଦୋରା, ଜଳ ନିଷ୍କାସନ ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ମିଶ୍ର ଓ ଉପମୁଖ୍ୟ ଯନ୍ତ୍ରୀ ସନ୍ତୋଷ ସ୍ୱାଇଁ,ସ୍ଥାନୀୟ ଲୋକ ପ୍ରତିନିଧି ଓ କୃଷକମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment