ରାତିଅଧିଆ ଚେକିଂରେ ୧୫ଗାଡି ଜବତ ସହ ୧୨ ମଦୁଆ ଚାଳକ ବନ୍ଧା ହେଲେ

ସୁବର୍ଣ୍ଣପୁର: ରାଜ୍ୟ ପରିବହନ ବିଭାଗର କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ପରିବହନ ବିଭାଗ ତରଫରୁ ମିଳିତ ଭାବରେ ଗାଡି ମୋଟର ଯାଞ୍ଚ କରାଯାଇଥିଲା । ବିଶେଷ କରି ମଦ୍ୟ ପାନ କରି ଗାଡି ଚଳାଉଥିବା ଚାଳକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସମୁଦାୟ ୧୫ ଟି ଗାଡି ଜବତ ହୋଇଥିବା ବେଳେ ୧୨ଜଣ ମଦୁଆ ଗାଡି ଚାଳକଙ୍କୁ ଗିରଫ କରାଯାଇଛି । ତିନୋଟି ଡ୍ରାଇଭିଙ୍ଗ ଲାଇସେନ୍ସ ଅସ୍ଥାୟୀ ଭାବରେ ବାତିଲ କରାଯାଇଛି । ଚଳିତ ମେ ମାସ ପ୍ରଥମ ସପ୍ତାହରୁ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇଚକିଆ ଯାନରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ଜରୁରୀ ବୋଲି ଘୋଷଣା ହୋଇଥିଲା ଓ ଏଥିରେ ବ୍ୟତିକ୍ରମ ହେଲେ ଚାଳକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ରୁବିନ ପଟ୍ଟନାୟକ ସୂଚନା ଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବା ପାଇଁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଗାଡି ମୋଟର ଯାଞ୍ଚକୁ କଡାକଡି କରାଯାଉଛି । ସେହିପରି ସହରରେ ଦିନରାତି ଅନଭିଜ୍ଞ ଟ୍ରାକ୍ଟର ଚାଳକଙ୍କ ସ୍ପିଡ଼ ଓ ବେପରୁଆ ଗାଡିଚାଳନା ଉପରେ ବିଭାଗ ତୀକ୍ଷ୍‌ଣ ନଜର ରଖିବାସହ ଭାରିଯାନ ଚଳାଚଳ ଉପରେ ମଧ୍ୟ ଦୃଷ୍ଟି ଦେବା ଉପରେ ବିଭାଗ ଉପରେ ମଧ୍ୟ ବୁଦ୍ଧିଜୀବି ଆଶାରଖିଛନ୍ତି । କ୍ରମାଗତ ଚେକିଂ ହିଁ ଦୁର୍ଘଟଣାକୁ ରୋକିବାରେ ଏକମାତ୍ର ସହାୟକ ହୋଇପାରିବ ବୋଲି ଅନେକ ସଚେତନବର୍ଗ ଆଶା କରୁଥିବା ବେଳେ ଜିଲ୍ଲା ପରିବହନ ବିଭାଗର ଏପରି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି । ପୋଲିସ ଓ ପରିବହନ ବିଭାଗ ତରଫରୁ ଏପରି କାର୍ଯ୍ୟାନୁଷ୍ଠାନରେ ମଦ୍ୟପ ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ରାତିଅଧିଆ ମଦୁଆଙ୍କ ପ୍ରଭାବ ମଧ୍ୟ ଏବେ କମ ପରିଲକ୍ଷିତ ହେଉଛି ।

Comments (0)
Add Comment