ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈ ମନ୍ଦିରରେ ପୁଣି ଥରେ ଆରମ୍ଭ ହେଲା ଲାଇଟ ଏଣ୍ଡ ସାଉଣ୍ଡ ଶୋ । କୋଭିଡ କଟକଣା ଯୋଗୁଁ ୧୧ ସେପ୍ଟେମ୍ବର ୨୦୨୧ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲାପରେ ଏହା ମହାମାରୀ କୋଭିଡ କାରଣରୁ ବନ୍ଦ କରାଯାଇଥିଲା । ସୋମବାରଠାରୁ ପୁଣି ଥରେ ଏହି ଆଲୋକ ଏବଂ ଧ୍ୱନି ପ୍ରଦର୍ଶନ ଜନସାଧାରଣଙ୍କ ପାଇଁ ଖୋଲାଯାଇଛି । ଦୁଇ ତିନିଦିନ ପରୀକ୍ଷା ସ୍ୱରୂପ ଶୋ ପରେ ଆଜି ଏହା ନିୟମିତ ରୂପେ ଆରମ୍ଭ କରାଯାଇଛି । ଏହା ପ୍ରତି ସୋମବାର ଦିନ ବନ୍ଦ ରହିବ ଓ ଅନ୍ୟ ଦିନ ଶୋ ସମୟ ସନ୍ଧ୍ୟା ୭ ଟାରୁ ୭.୪୦ ପର୍ଯ୍ୟନ୍ତ ଅର୍ଥାତ ୪୦ ମିନିଟ ରହିବ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଦର୍ଶକ ଏହାକୁ ଉପଭୋଗ କରି ପାରିବେ । ଏଥିପାଇଁ ଟିକେଟ ପ୍ରତିଦିନ ଅପରାହ୍ନ ୫ଟା ରୁ ମନ୍ଦିରରେ ହିଁ ଉପଲବ୍ଧ ରହିବ । ଜନସାଧାରଣଙ୍କ ପାଇଁ ୫୦ ଏବଂ ବରିଷ୍ଠ ନାଗରିକ ଓ ଛାତ୍ରଙ୍କ ପାଇଁ ଟିକେଟ ମୂଲ୍ୟ ୩୦ ଟଙ୍କା ରଖାଯାଇଛି । ଏକା ଥରକେ ୨୦୦ ଜଣ ଦର୍ଶକ ଏହି ଶୋ ଉପଭୋଗ କରିପାରିବେ ଓ ପ୍ରତିଦିନ ଗୋଟିଏ ମାତ୍ର ଶୋ ପ୍ରଦର୍ଶନ କରାଯିବ । ଦର୍ଶକଙ୍କ ଚାହିଦା ଦେଖି ଦ୍ୱିତୀୟ ଶୋ ମଧ୍ୟ କରାଯାଇ ପାରିବ ବୋଲି ଏହାର ଆୟୋଜକ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପ୍ରକାଶ । ଶୋ ପରିସରରେ କୌଣସି ପ୍ରକାର ଖାଦ୍ୟ ପଦାର୍ଥ ନେବାକୁ ବାରଣ କରାଯାଇଛି । ସୋମବାର ଦିନ ଏହାର ପ୍ରଥମ ଶୋରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ସଦର ଉପଜିଲ୍ଲାପାଳ ମୟୁର ସୂର୍ଯ୍ୟବଂଶୀ ବିକାଶ ଓ ସ୍ଥାନୀୟ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଙ୍କ ସହିତ ଆମନ୍ତ୍ରିତ ଅତିଥିମାନେ ଉପସ୍ଥିତ ରହି ଏହାକୁ ଉପଭୋଗ କରିଥିଲେ ।