ପାଟଣାଗଡ଼: ପାଟଣାଗଡ଼ ଥାନା ଚିଙ୍ଗେରବନ୍ଦ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ଼ ହୋଇଥିବା ଅଭିଯୋଗ ହେଉଛି । ଫଳରେ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ଅନ୍ୟଦୁଇ ଜଣ ଗୁରୁତର ହୋଇ ପାଟଣାଗଡ଼ ଡାକ୍ତରଖାନରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତେବେ କ’ଣ ପାଇଁ ଭୁଜାଲି ମାଡ଼ ହେଲା, କାରଣ କ’ଣ ତାହା ଏବେବି ଅସ୍ପଷ୍ଟ ଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହୋଇଥିବା କୁହାଯାଉଛି । ପୁଲିସ ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ଚିଙ୍ଗେରବନ୍ଦ ଗାଁର ପଙ୍କଜ ବାଗ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ନିର୍ମଳ ବାଗକୁ ଅଶ୍ଳୀଳ ଭାଷାରେ ଗାଳିି ଗୁଲଜ କରିଥିଲେ । ପରେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ପଙ୍କଜ ଧରିଥିବା ଏକ ଧରୁଆ ଅସ୍ତ୍ରରେ ନିର୍ମଳ ବାଗଙ୍କ ମୁଣ୍ଡରେ ବାରମ୍ବାର ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରିଦେଇଥିଲା । ଏହି ସମୟରେ ନିର୍ମଳ ଜୀବନ ବଞ୍ଚାଇବାକୁ ହୋହାଲ୍ଲା କରିବାରୁ କାକା ମହେଶ୍ୱର ଦୌଡ଼ି ଆସି ଦେଖିଲା ବେଳେକୁ ତାଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ ହୋଇଥିବା ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଛି । ଏନେଇ କାହାରି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ନିର୍ମାଳଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ପାଟଣାଗଡ଼ରୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।