ଓଟିଡିସି ପକ୍ଷରୁ ପୁରୀ ସ୍ୱର୍ଗଦ୍ୱାରରେ ଶୁଦ୍ଧ ନିରାମିଷ କାଫେଟେରିଆ ଲୋକାର୍ପିତ

ପୁରୀ : ପୁରୀ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଏବଂ ପୁରୀ ହେଉଛି ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର । ବିଶ୍ୱାସ ରହିଛି ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ହେଲେ ମନୁଷ୍ୟର ମୋକ୍ଷ ପ୍ରାପ୍ତି ହୋଇଥାଏ । ସେଇଥିପାଇଁ ତ ଅନେକ ନିଜର ମୃତ୍ୟୁ ପରେ ତାଙ୍କର ଶବକୁ ପୁରୀ ସ୍ୱର୍ଗଦ୍ୱାରରେ ସଂସ୍କାର କରିବା ପାଇଁ ଅଭିଳାଷ ରଖିଥାନ୍ତି । ପୁରୀର ଏହି ସ୍ୱର୍ଗଦ୍ୱାର ପାଖରେ ଜିଲ୍ଲା ପ୍ରଶାସନ ସହଯୋଗରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଏକ ଶୁଦ୍ଧ ନିରାମିଷ କାଫେଟେରିଆ ଖୋଲା ଯାଇଛି । ପବିତ୍ର ଉତ୍କଳ ଦିବସ ଅବସରରେ ଏହି ଶୁଦ୍ଧ ନିରାମିଷ କାଫେଟେରିଆକୁ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି । ସମୁଦ୍ର ବେଳାଭୂମି ବୁଲି ଆସୁଥିବା ଲୋକମାନେ ଏହି କାଫେଟେରିଆରେ ଜଳପାନ କରିବାର ସୁଯୋଗ ନେଇ ପାରିବେ । ସେହିପରି ନିଜ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ପାଇଁ ସ୍ୱର୍ଗଦ୍ୱାର ଆସୁଥିବା ଲୋକମାନେ ମଧ୍ୟ ଏହି କାଫେଟେରିଆ ଦ୍ୱାରା ବିଶେଷ ଭାବେ ଉପକୃତ ହୋଇପାରିବେ । ଆଜି ଏହି କାଫେଟେରିଆକୁ ମିଶାଇଲେ ଶ୍ରୀଜଗନ୍ନାଥ ଧାମ ପୁରୀ ସହରରେ ଓଟିଡିସି ନିଜର ଚତୁର୍ଥ ୟୁନିଟ୍‌ ଖୋଲିବାରେ ସକ୍ଷମ ହୋଇଛି । ଏଠାରେ ସୁଲଭ ଦରରେ ଶୁଦ୍ଧ ନିରାମିଷ ଜଳପାନର ସୁବିଧା ମିଳିବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ୱର୍ଗ ଦ୍ୱାରର ବିକାଶ ପାଇଁ ୫ କୋଟି ଟଙ୍କା ଅନୁଦାନ ଦେଇଥିଲେ । ଉକ୍ତ ଅର୍ଥରେ ସ୍ୱର୍ଗ ଦ୍ୱାରର ନବୀକରଣ ସହ ମୃତ ପରିଜନଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଶୌଚାଳୟ , ପାନୀୟ ଜଳ ବ୍ୟବସ୍ଥା ହୋଇଛି ।

Comments (0)
Add Comment