ନୟାଗଡ଼ରେ ୭ ଦିନିଆ ରିଲିଫ ; ଆରମ୍ଭରୁ ଲଘୁକ୍ରିୟା, ଚୁଡ଼ା ଓ ଗୁଡ଼ ବଣ୍ଟନକୁ ନେଇ ଅସନ୍ତୋଷ

ଦଶପଲ୍ଲା : ବନ୍ୟା ବିପନ୍ନ ନୟାଗଡ଼ ଜିଲ୍ଲାର ଗଣିଆଁ, ଭାପୁର ଏବଂ ଖଣ୍ଡପଡ଼ା ବ୍ଲକ ଅଂଚଳର ଶତାଧିକ ଗାଁର ଲୋକେ ବନ୍ୟା ପ୍ରଭାବରେ ଆକ୍ତାମାକ୍ତ ହେଉଥିବାବେଳେ ବନ୍ୟା ପ୍ରଭାବିତଙ୍କୁ ୭ଦିନ ପରେ ସରକାରୀ ରିଲିଫ ପ୍ରଦାନ କରାଯାଇଛି । ଗଣିଆଁ ବ୍ଲକର ୧୫ରୁ ଅଧିକ ଗାଁ ଲୋକଙ୍କ ପାଖରେ କିଛି ରିଲିଫ ସାମଗ୍ରୀ ପହଂଚିଛି । ଅନ୍ୟପକ୍ଷେ ବହୁ ବିଳମ୍ବରେ ଜିଲ୍ଲାର ପ୍ରଭାବିତଙ୍କୁ ୭ଦିନିଆ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ମୁଖ୍ୟ ରିଲିଫ କମିଶନରଙ୍କ ସ୍ୱୀକୃତି ମିଳିଛି । ସରକାରଙ୍କ ପକ୍ଷରୁ ରିଲିଫ ସାମଗ୍ରୀ କେବଳ ଚୁଡ଼ା ଓ ଗୁଡ଼ ବଣ୍ଟନ କରାଯାଉଛି । ଏହାକୁ ନେଇ ଅନେକ ସ୍ଥାନରେ ବିପନ୍ନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମହାନଦୀରେ ଦେଖା ଦେଇଥିବା ବନ୍ୟାରେ ନୟାଗଡ଼ ଜିଲ୍ଲାର ୧୦୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ଏଥରେ ଗଣିଆଁ ବ୍ଲକର ପ୍ରାୟ ୫୦ଟି ଗାଁ ଜଳ ଘେରରେ ରହିଥିଲା । ବନ୍ୟା ପ୍ରକୋପର ୭ ଦିନ ପରେ ମଧ୍ୟ କୁତୁରୀ, କନ୍ଧଜିଲ୍ଲିଣ୍ଡା, ମାଳିସାହି, ବଡ଼ମୂଳ, ବେଠିଆ ସାହି, ମୁଦୁଲିଗାଡ଼ିଆ ଏବଂ ମୋହନାପଦା ଆଦି ୧୦ରୁ ଅଧିକ ଗାଁର ଲୋକଙ୍କ ପାଖରେ କେହି ବି ପହଂଚି ପାରି ନଥିଲେ । ଦୀର୍ଘ ୭ ଦିନ ଧରି ଜଳବନ୍ଦି ରହିଥିବା ପ୍ରଭାବିତଙ୍କ ନିକଟରେ, ପ୍ରଶାସନିକ ଦଳ ପହଂଚିଥିବା ସୂଚନା ମିଳିଛି । ସେହିପରି ଭାପୁର ଓ ଖଣ୍ଡପଡ଼ା ବ୍ଲକ ବନ୍ୟା ପ୍ରଭାବିତ ଅଂଚଳରେ ବିଧିବଦ୍ଧ ରିଲଫ ସାମଗ୍ରୀ ପ୍ରଦାନ ହୋଇ ପାରି ନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ରାଜ୍ୟରେ ଅନ୍ୟ କେତେକ ଜିଲ୍ଲାରେ ୭ ଦିନ ପାଇଁ ରିଲିଫ ଯୋଗାଇ ଦେବାକୁ ସରକାର ଘୋଷଣା କରିଥିଲେ । ନୟାଗଡ଼ରେ ଦେଖା ଦେଇଥିବା ଭୀଷଣ ବନ୍ୟା ପ୍ରଭାବିତଙ୍କୁ ରିଲିଫ ସାମଗ୍ରୀ ଯୋଗାଣ ଘୋଷଣାରେ ବିଳମ୍ବକୁ ନେଇ ଜନଅସନ୍ତୋଷ ଦେଖାଦେଇଥିଲା । ଶନିବାର ଦିନ ନୟାଗଡ଼ ଜିଲ୍ଲାରେ ୭ ଦିନିଆ ରିଲିଫ ସାମଗ୍ରୀ ପ୍ରଦାନ ଲାଗି ସ୍ୱୀକୃତି ମିଳିଛି । ସରକାରୀ ରିଲିଫ ମଧ୍ୟରେ କେବଳ ବହୁ ପୁରୁଣା ତଥା ଖାଦ୍ୟ ଅନୁପଯୋଗୀ ଚୁଡ଼ା ଓ ଗୁଡ଼ ପ୍ରଦାନ କରାଯାଉଥିବାରୁ, ଏହାକୁ ଅନେକ ବନ୍ୟାବିପନ୍ନ ଗ୍ରହଣ କରିବାରେ ନାରାଜ ହେଉଥିବା ଦେଖିବାକୁ ମିଳୁଛି ।

Comments (0)
Add Comment