ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତଦୁଇ ଫଳ

ଭୁବନେଶ୍ୱର : ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସରିଥିବାବେଳେ ୨ୟ ପର୍ଯ୍ୟାୟ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି । ଏହା ୩୧ ତାରିଖ ଯାଏ ଚାଲିବ । ତେବେ ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୨୨ ତାରିଖ ପରିବର୍ତ୍ତେ ୨୫ ତାରିଖରୁ ଆରମ୍ଭ ହେବ । ଖାତାଦେଖା ପ୍ରାୟ ୨୪ରୁ ୨୬ ଦିନ ଲାଗିବ ।
ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହେବା ପରେ ଜୁଲାଇ ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି । ଖାତାଦେଖା ଲାଗି ଏଥର ୬୪ଟି ଅଫ୍‌ଲାଇନ ଓ ୩୭ଟି ଇ-ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ ହୋଇଛି । ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ ପଦ୍ଧତିରେ କରାଯିବ । ୪ଟି ଜୋନ୍‌ ଯଥା ବ୍ରହ୍ମପୁର, ସମ୍ବଲପୁର, ବାରିପଦା ଏବଂ ସେଣ୍ଟ୍ରାଲ ଜୋନରେ ମୋଟ ୩୭ଟି ଇ-ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ସେହିପରି କଳା ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ୬୪ଟି କେନ୍ଦ୍ରରେ କରାଯିବ । ଏଥିପାଇଁ ୧୦ହଜାର ଅଧ୍ୟାପକଙ୍କୁ ନିୟୋଜିତ କରାଯିବ । ଅଫ୍‌ଲାଇନ କେନ୍ଦ୍ରରେ ଖାତାଦେଖା ଲାଗି ପ୍ରତ୍ୟେକ ଟେବୁଲରେ ୩ଜଣ ଅଧ୍ୟାପକ ରହିବେ । ସେମାନଙ୍କ ମଧ୍ୟରୁ ୨ଜଣ ଖାତା ଦେଖିବେ ଏବଂ ଜଣେ ପୁନଃ ଯାଞ୍ଚ କରିବେ । ମୂଲ୍ୟାୟନରେ ସ୍ୱଚ୍ଛତା ଓ ନିର୍ଭୁଲ ଲାଗି ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରସାୟନ ବିଜ୍ଞାନରେ ସିଲାବସ୍‌ ବାହାରୁ ପ୍ରଶ୍ନ ଆସିଥିବା ନେଇ ହୋଇଥିବା ଅଭିଯୋଗ ଓ ଉକ୍ତ ପ୍ରଶ୍ନ ବାବଦକୁ ଗ୍ରେସ୍‌ମାର୍କ ପ୍ରସଙ୍ଗରେ ମଧ୍ୟ ପରିଷଦ ପକ୍ଷରୁ ଯାଞ୍ଚ କରାଯାଇଛି । ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ଜଟିଳ ରହିଛି । ତେବେ ଆଉଟ୍‌ ଅଫ୍‌ ସିଲାବସ୍‌ରୁ କୌଣସି ପ୍ରଶ୍ନ ଆସି ନ ଥିବା ପରିଷଦ ପକ୍ଷରୁ ସୃଷ୍ଟି କରାଯାଇଛି । ତେବେ ମୂଲ୍ୟାଙ୍କନ ସମୟରେ ବିଶେଷଜ୍ଞଙ୍କ ନିଷ୍ପତ୍ତି ଅନୁସାରେ ଗ୍ରେସ୍‌ମାର୍କ ଦିଆଯିବ କି ନାହିଁ ତାହା ପରେ ସୃଷ୍ଟି ହେବ ବୋଲି ପରିଷଦ କହିଛି ।
ସୂଚନାଯୋଗ୍ୟ, ଚଳିତବର୍ଷ ରାଜ୍ୟର ୧,୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୩ଲକ୍ଷ ୨୧ହଜାର ୫୦୮ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି । କଳାରେ ୨ଲକ୍ଷ ୧୩ହଜାର ୪୩୨ଜଣ ଥିବାବେଳେ ବିଜ୍ଞାନରେ ୭୮ହଜାର ୭୭, ବାଣିଜ୍ୟରେ ୨୪ହଜାର ୧୩୬ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ଛାତ୍ରୀଛାତ୍ର ରହିଛନ୍ତି । ପ୍ରଶ୍ନପତ୍ରରେ ୫୦% ମଲ୍ଟିପୁଲ ଚଏସ୍‌ ପ୍ରଶ୍ନ, ୨ ଓ ୩ମାର୍କର ପ୍ରଶ୍ନ ୩୦% ଏବଂ ୬ମାର୍କ ବିଶିଷ୍ଟ ପ୍ରଶ୍ନ ୨୦% ରହିଛି । ଅପରପକ୍ଷେ ମୂଲ୍ୟାୟନ ପାଇଁ ଦୁଇ ପ୍ରକାରର ପଦ୍ଧତି ଗ୍ରହଣ କରାଯିବ । ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହାକୁ ସମ୍ପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment