ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ୫-ଟି ଅଧ୍ୟକ୍ଷ ଭି କେ ପଣ୍ଡିଆନ ପୁରୀ ଗସ୍ତରେ ଆସି ସବୁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ନୀଳାଦ୍ରି ଭକ୍ତ ନିବାସରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା । ଏହି ବୈଠକରେ ବିଜେଡ଼ିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାଶ, ମାନସ ମଙ୍ଗରାଜ, ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ ଉପସ୍ଥିତ ଥିବା ବେଳେ ତାଙ୍କ ସହ ୫-ଟି ଅଧ୍ୟକ୍ଷ ଆଲୋଚନା କରିଥଲେ । ତେବେ ବୈଠକରେ ଯୋଗ ଦେଇଥିବା ବିଜେଡ଼ିର ବରିଷ୍ଠ ନେତା ମାନସ ମଙ୍ଗରାଜ କହିଥିଲେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଐତିହାସିକ ପ୍ରକଳ୍ପ । ଏହି ପ୍ରକଳ୍ପକୁ ସଫଳ କରିବା ପାଇଁ ସବୁ ପକ୍ଷଙ୍କ ମତାମତ ନିଆଯାଇଛି । ବିଶେଷ କରି ପରିକ୍ରମା ପ୍ରକଳ୍ପ ଯୋଗୁ ଶ୍ରୀମନ୍ଦିର ଚାରି ପାଖରେ ଥିବା ସାହୀ ଗୁଡିକର ବାସିନ୍ଦା ଯାତାୟତରେ ବହୁ ଅସୁବିଧା ଭୋଗୁ ଥିବାରୁ ଏହାକୁ କିଭଳି ସମାଧାନ କରାଯାଇ ପାରିବ ସେ ନେଇ ଆଲୋଚୋନା ହୋଇଥିଲା । ବୈଠକରେ ଯୋଗ ଦେଇଥିବା ସେବାୟତ କହିଛନ୍ତି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କିଭଳି ସଫଳ ହୋଇପାରିବ, ଉଦଘାଟନ ଉତ୍ସବ ଯେଭଳି ସୁରୁଖୁରୁରେ ହୋଇ ପାରିବ ସେ ନେଇ ୫-ଟି ଅଧ୍ୟକ୍ଷ ଆଲୋଚନା କରିଥଲେ । ସେହିପରି ଶ୍ରୀମନ୍ଦିରରେ ଆଉ କଣ ସମସ୍ୟା ରହିଛି ସେ ନେଇ ସମୀକ୍ଷା ହୋଇଥଲା । ତେବେ ମହାପ୍ରଭୁଙ୍କର ସେବା ପୂଜା କେତେକ ସାମଗ୍ରୀ ଆବଶ୍ୟକ ଥିବା ବେଳେ ଏହାର ବ୍ୟବସ୍ଥା କରିବା ପାଇଁ ୫-ଟି ଅଧ୍ୟକ୍ଷଙ୍କୁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ ।
ଆସନ୍ତା ୧୭ ତାରିଖରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । କାର୍ଯ୍ୟସୂଚୀ ଅନୁଯାୟୀ ୧୭ ତାରିଖ ବୁଧବାର ଦିନ ବିଭିନ୍ନ ପୂଜାବିଧି ସହିତ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାଠ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ । ଦିନ ୧ଟା ୧୫ ରୁ ୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୧ଟା ୩୦ ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଯଜ୍ଞ ପୂର୍ଣ୍ଣାହୁତି, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ପରେ ଦିନ ୨ଟା ରୁ ୩ଟା ମଧ୍ୟରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଏବଂ ପରେ ସଭାଗୃହରେ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବ । ଦିନ ୩ଟା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷଣ କରିବା ପାଇଁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିବ ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପରେ ଆସନ୍ତା ୧୮ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ନିମନ୍ତ୍ରିତ ଅତିଥିଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ପୁରୀ ଅଣାଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ନେଇ ଆସନ୍ତାକାଲିଠାରୁ ପୂଜାବିଧି ଆରମ୍ଭ ହେଉଥିବା ବେଳେ ୧୭ ତାରିଖ ବୁଧବାର ଲୋକାର୍ପଣ ଉତ୍ସବକୁ ଏବେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଦେଖିବା ପାଇଁ ଏବେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।