ପୁରୀ : ଅକ୍ଟୋବର ୧୦ ତାରିଖ ଠାରୁ ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ମାମାନଙ୍କର ରାଇ ଦାମୋଦର ହବିଷ୍ୟାଳୀ ବ୍ରତ ପୁରୀରେ ଅନୁଷ୍ଠିତ ହେବ । ମା ମାନଙ୍କର ରହିବା, ମହାପ୍ରସାଦ ସେବନ କରିବା ,ଶ୍ରୀଜିଉ ମାନଙ୍କୁ ଦର୍ଶନ କରିବା, ପ୍ରବଚନ ଓ ଆଧ୍ୟାତ୍ମିକ ଆଲୋଚନା ଶୁଣିବା ବ୍ୟବସ୍ଥା କରିବାକୁ ବ୍ୟବସ୍ଥା କରାଯାଇଛି । ଆଜି ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ହବିଷ୍ୟାଳୀ ମାନଙ୍କ ଆଗମନ, ରହଣି ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ମା ମାନଙ୍କର ରହଣି ସମୟରେ ଯେପରି ସେମାନଙ୍କର କୌଣସି ଅସୁବିଧା ବା ସମସ୍ୟା ନ ହୁଏ ସେଥିପ୍ରତି ଦାୟିତ୍ୱ ରେ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଯତ୍ନ ବାନ ହେବାକୁ ପରାମର୍ଶ ଦେଇଥିଲେ । ଉପଜିଲ୍ଲାପାଳ ଭବତାରଣ ସାହୁ ବୈଠକ ପରିଚାଳନା କରିବା ସହ ରହଣି ପାଇଁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ ଓ ମୋଚିସାହି ସ୍ଥିତ ପୌର କଲ୍ୟାଣ ମଣ୍ଡପର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ । ଇତି ମଧ୍ୟରେ ପଞ୍ଜିକରଣ ଆରମ୍ଭ ହୋଇଛି । ଆଜି ସୁଦ୍ଧା ୧୨୦୦ରୁ ଉର୍ଦ୍ଧ୍ୱ ପଞିକରଣ ହୋଇଛି । ମା ମାନଙ୍କର ରହଣି ସମୟରେ ସ୍ୱାସ୍ଥ୍ୟ, ପରିମଳ,ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଆଇନ ଶୃଙ୍ଖଳା, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ଦର୍ଶନ ବ୍ୟବସ୍ଥା,ଦର୍ଶନ ସମୟରେ ଟ୍ରାଫିକ ନିୟନ୍ତ୍ରଣ,ସ୍ୱଛାସେବୀ ନିୟୋଜନ ଇତ୍ୟାଦିକୁ ସୁନିୟନ୍ତ୍ରିତ କରାଯିବାର ବ୍ୟବସ୍ଥା ହୋଇଛି । ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ନିଷ୍ଠାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦିଆଗଲା ।
ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା,ନିତି ପ୍ରଶାସକ ଜିତେନ୍ଦ୍ର ସାହୁ, ଅତିରିକ୍ତ ଏସପି ମିହିର ପ୍ରସାଦ ପଣ୍ଡା, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ଏପିଡି ରଶ୍ମି ରେଖା ଦାସ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ ।