ସମ୍ବଲପୁର : ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଚିପିଲିମା ପାୱାର ହାଉସ ପାଇଁ ଅଧିଗୃହୀତ ୬୩୪୫.୭୫ ଏକର ଜମି ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୫୦୦ ଏକର଼ ବ୍ୟବହାରକୁ ଆସିଛି, ଏଣୁ ବାକି ଅବ୍ୟବହୃତ ଚାଷଜମିକୁ ଫେରସ୍ତ ଦାବିରେ ସମ୍ପୃକ୍ତ ଚାଷୀମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ତାଙ୍କ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଏପର୍ଯ୍ୟନ୍ତ ଉକ୍ତ ଅବ୍ୟବହୃତ ଚାଷଜମିରେ ଏକ ବୁଝାମଣା ଭିତ୍ତିରେ ସେମାନେ ଚାଷକାମ କରିବା ସହ ଉପାର୍ଜିତ ଧାନ ମଧ୍ୟ ସରକାରଙ୍କୁ ବିକି ଆସୁଥିଲେ କିନ୍ତୁ ଏଥର ନିର୍ବାଚନ ପରଠାରୁ ରାଜ୍ୟସରକାରଙ୍କ ମତିଗତି ବଦଳି ଯାଇଛି । ସେହି ଅଞ୍ଚଳରୁ ଭାରତୀୟ ଜନତା ପାର୍ଟି ବିଜୟ ଲାଭ କରିଛି ଓ ଏଥିପାଇଁ ପ୍ରତିଶୋଧ ପରାୟଣ ହୋଇ ଗତ ଦୁଇବର୍ଷ ହେଲା ସେଠାରୁ ଆଉ ଧାନ କିଣୁନାହାନ୍ତି । ଏଥିପାଇଁ ସମ୍ପୃକ୍ତ ଆଠଟି ଗାଁ, ବସନ୍ତପୁର, ଗଡମୁଣ୍ଡା, ସାହାଜବାହାଲ, ରେଙ୍ଗାଲିପାଲି, ତାଲପଦର, ଭାଲୁଗୁଡିଆ, ସତୀଜୋର ଓ ପାପଡେରାର ଚାଷୀ ଆଜି ବିଧାୟକ ନାଉରୀ ନାଏକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାର ବସିଛନ୍ତି । ଏଠାରେ ଏହି ସନ୍ଦର୍ଭରେ ଉଲ୍ଲେଖନୀୟ କି ଏଇ କିଛି ଦିନ ପୂର୍ବେ ଗଞ୍ଜାମ ଜିଲ୍ଲାରେ ଟାଟା କମ୍ପାନୀ ଦ୍ୱାରା ଅଧିଗୃହୀତ ଜମି ପରିଯୋଜନା ପାଇଁ ବ୍ୟବହାର ହୋଇ ନ ଥିବାରୁ ସମ୍ପୃକ୍ତ ଚାଷୀମାନଙ୍କୁ ତାହା ଫେରାଇ ଦିଆଯାଇଛି । ଏହାକୁ ଏକ ଦୃଷ୍ଟାନ୍ତ ରୂପେ ଦେଖିବା ସହିତ ଏଠାରେ ସମ୍ପୃକ୍ତ ଚାଷୀ ନ୍ୟାୟ ପାଇବା ଆଶାରେ ଆଜି ଏହି ଆନ୍ଦୋଳନ କରିଛନ୍ତି ।