ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ଶନିବାର ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି । ନାବାଳିକା ଘର ଝାରସୁଗୁଡ଼ା ଜିଲ୍ଲା ହୋଇଥିବାବେଳେ ଦଶପଲ୍ଲା ମୋଚିସାହି ବିକ୍ରମ ବେହେରା ତାଙ୍କୁ ନେଇ ଆସି ବିବାହ ଉଦ୍ୟମରେ ଥିଲେ । ବିକ୍ରମ ସୋନପୁରର ଏକ ସୋଫା ଦୋକାନରେ କାମ କରନ୍ତି । ସେ ଜଣେ ୧୬ ବର୍ଷୀୟା ନାବାଳିକାକୁ ଆଣି ବିବାହ କରିବା ପାଇଁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଚାଇଲ୍ଡ ଲାଇନ୍କୁ ଖବର ଆସିବା ପରେ ଦଶପଲ୍ଲା ପୁଲିସ ଓ ସିଡିପିଓ ମିଳିତ ଭାବେ ଉକ୍ତ ଗ୍ରାମକୁ ଯାଇ ନାବାଳିକାକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ନାବାଳିକାକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ସନ୍ତୋଷ ସାହୁଙ୍କ ନିକଟରେ ହାଜର କରାଯାଇ ତପସ୍ୟା ଶିଶୁଗୃହରେ ରଖାଯାଇଛି । ନାବାଳିକାର ପରିବାରକୁ ଏନେଇ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି । ପ୍ରକାଶ ଥାଉକି ବିଗତ ଦିନରେ ହୀରାଞ୍ଚଳ ସମେତ ବିଭିନ୍ନ ସମ୍ବାଦପତ୍ରରେ ନାବାଳିକା ବିବାହ ଉପରେ ବାରମ୍ବାର ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ କେବଳ ଲୋକଦେଖାଣିଆ ଚଢ଼ଓ କରି ଦାଇତ୍ୱ ତୁଲାଇ ଦେଉଥିବା କଥା ସର୍ବସାଧାରଣରେ ଆଲୋଚନା ହେଉଛି ।